Editorial: ହିମାଳୟ ଟ୍ରାଜେଡି

2 hours ago 1
ARTICLE AD BOX

ମନେ ରହିବା ଉଚିତ ‌େଯ ହିମାଳୟ ଏକ କର୍ଦ୍ଦମ ପାହାଡ଼ ଯେଉଁଠି ଅତଡ଼ା ଖସିବା ଏକ ସାଧାରଣ ବ୍ୟାପାର ଏବଂ ଏହା ଏକ ଅତ୍ୟନ୍ତ ଭୂମିକଂପପ୍ରବଣ ଭୂଖଣ୍ଡ ଉପରେ ଦଣ୍ଡାୟମାନ ହୋଇଥିବାରୁ ନଦୀବନ୍ଧ ନିର୍ମାଣ ବା ପାହାଡ଼ କାଟି ବିଶାଳ ଟନେଲ, ପ୍ରଶସ୍ତ ରାଜପଥ, ହୋଟେଲ ଆଦିର ନିର୍ମାଣ ଅବିମୃଶ୍ୟକାରିତାର ନିଦର୍ଶନ ହୋଇଥାଏ।

Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

ଗଲା ବୁଧବାର ସକାଳ ୮.୪୦ ମିନିଟ ସମୟରେ ଯେଉଁ ଅପ୍ରତ୍ୟାଶିତ ବନ୍ୟା ତାଣ୍ଡବ ସୃଷ୍ଟି ହୋଇ ବିପୁଳ ସଂଖ୍ୟକ ଜନଜୀବନ କ୍ଷୟର କାରଣ ହୋଇଛି, ତାହା ସମସ୍ତଙ୍କୁ ହତବାକ୍‌ କରିଦେବା ସହିତ ଏଭଳି ଅନେକ ପ୍ରଶ୍ନର ପୁନଃ ଆବିର୍ଭାବ ଘଟାଇଛି, ଯାହା ନୂଆ ନୁହେଁ; ଏ ଯାବତ୍‌ ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ମଞ୍ଚରେ ଯେଉଁ ସବୁକୁ ବାରମ୍ବାର ପଚରା ଯାଉଛି, ଯାହାର ଉତ୍ତର ମଧ୍ୟ ଅଛି, ସମାଧାନର ମାର୍ଗ ମଧ୍ୟ ଦିଶୁଛି; ହେଲେ ମନେ ହେଉଛି ହିମାଳୟ କ୍ରୋଡ଼ରେ ଘଟୁଥିବା ବିଭୀଷିକାର ଯେଉଁ ଧାରାବାହିକତା ପରିଦୃଷ୍ଟ ହେଲାଣି, ତହିଁରେ ବିରାମ ଲଗାଇବା ବୋଧହୁଏ ଏକ ଅସମ୍ଭବପ୍ରାୟ ବ୍ୟାପାର! ତେବେ, ଏହି ସ୍ତମ୍ଭକୁ ପାଠ କରୁଥିବା ଅନେକ ପାଠକପାଠିକା ଆପତ୍ତି କରିପାରନ୍ତି ଯେ ଉପକ୍ରମରୁ ଏଭଳି ଉପସଂହାରରେ ଉପନୀତ ହେବା ହେଉଛି ତୁଚ୍ଛା ନିରାଶାବାଦର ସଂକେତ! ତେବେ, କେଉଁଟି ଠିକ୍‌? 
ଶଂସିତ ଘଟଣାରେ ଜଣା ପଡ଼ିଛି ଯେ ୪.୪ ରିକ୍ଟର ସ୍କେଲରେ ହୋଇଥିବା ଏକ ମୃଦୁ ଭୂମିକଂପ‌ରେ ଏକ ‘ଗ୍ଲେସିଅର ଲେକ୍‌’ ବା ‘ହିମବାହ ହ୍ରଦ’ର ପ୍ରାକୃତିକ ପ୍ରାଚୀର ଭୁଶୁଡ଼ି ପଡ଼ିଥିଲା, ଯଦ୍ଦ୍ବାରା ‌ତହିଁରେ ଗଚ୍ଛିତ ଥିବା ଅପରିମେୟ ଜଳରାଶି ବିସ୍ଫୋରକ ବେଗରେ ବହି ଆସି ନିମିଷକେ ସବୁ କିଛି ଭସାଇ ନେଲା। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୩ ମସିହାରେ, ସିକ୍କିମରେ ମଧ୍ୟ ‘ଗ୍ଲେସିଅର ଲେକ୍‌’ର ପ୍ରାଚୀର ଭାଙ୍ଗିଯିବା ହେତୁ ସହସା ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଘଟିଥିଲା, ଯହିଁରେ କାରଣ ଥିଲା ବାଦଲଫଟା ବୃଷ୍ଟିପାତ। ‘ଗ୍ଲେସିଅର ଲେକ୍‌’ର ପ୍ରାଚୀର, ଶୂନ ବା ବିଯୁକ୍ତାତ୍ମକ ତାପମାତ୍ରାରେ, ପ୍ରାକୃତିକ ଭାବେ ଗଢ଼ି ହୋଇଯାଇଥାଏ, ଯହିଁରେ ପଥର, କାଦୁଅ ଓ ତୁଷାର ହିମୀକୃତ ହୋଇ କଂକ୍ରିଟ ଭଳି ଶକ୍ତ ହୋଇଥାଆନ୍ତି! କିନ୍ତୁ ସମସ୍ୟା ହେଲା ଜଳବାୟୁ ପରିବର୍ତ୍ତନଜନିତ ବାତାବରଣ ଉତ୍ତପ୍ତୀକରଣ କାରଣରୁ ଅନେକ ‘ଗ୍ଲେସିଅର ଲେକ୍‌’ର ପ୍ରାଚୀର ତରଳି ଦୁର୍ବଳ ହେବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ହିମାଳୟର ବକ୍ଷ ଭେଦ କରି ବିଶାଳ ଟନେଲ ଓ ରାଜପଥ ନିର୍ମାଣ ତଥା ଅନ୍ୟାନ୍ୟ ଭାରୀ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲୁ ରହି ଯେଉଁ କଂପନ ସୃଷ୍ଟି କରୁଛନ୍ତି, ତହିଁରେ ପ୍ରାଚୀରରେ ଫାଟ ସୃଷ୍ଟି ହେଉଛି ଏବଂ ବିନା ‌େକୗଣସି ସତର୍କ ସୂଚନାରେ ଭୁଶୁଡ଼ି ପଡ଼ିବା ଭଳି ସ୍ଥିତି ସୃଷ୍ଟି କରୁଛି। ଉପଗ୍ରହ ଫଟୋଚିତ୍ରରୁ ଜଣାପଡ଼ିଥାଏ ଯେ ସମୁଦାୟ ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରାୟ ୨୪,୪୪୦ଟି ‘ଗ୍ଲେସିଅର ଲେକ୍’ ରହିଛି, ଯହିଁରୁ ଭାରତ ପାର୍ଶ୍ବରେ ଥିବା ହିମାଳୟରେ ଏହି ସଂଖ୍ୟା ହେଉଛି ୭,୬୧୭। ଜଣାପଡ଼ିଛି ଯେ କୋଶୀ, ଗଣ୍ଡୁକୀ ଓ କାର୍ନାଲି ନଦୀ ଅବବାହିକାରେ ଥିବା ଅନ୍ତତଃ ୪୭ଟି ‘ଗ୍ଲେସିଅର ଲେକ୍‌’ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଛି। ଏଭଳି ସ୍ଥଳେ ଧନ ଓ ଜୀବନର କ୍ଷତିକୁ ଯତ୍‌ସମ୍ଭବ ସଂକୁଚିତ କରି ରଖିବା ସକାଶେ ଯାହା ଅବଶ୍ୟକ, ତାହା ହେଲା ହିମାଳୟ କ୍ରୋଡ଼ରେ ଥିବା ୧୩ଟି ଯାକ ରାଜ୍ୟର ପର୍ଯ୍ୟଟକ ଆକର୍ଷଣକାରୀ ସହରଗୁଡ଼ିକରେ ହେଉଥିବା ଅକଳ୍ପନୀୟ ଜନସମାଗମକୁ ନିୟନ୍ତ୍ରଣାଧୀନ କରିବା ବା ତହିଁରେ ହ୍ରାସ ଘଟାଇବା। କିନ୍ତୁ, ତାହା କ’ଣ ସମ୍ଭବ? ଉଲ୍ଲେଖଯୋଗ୍ୟ ଯେ ପ୍ରତିକୂଳ ଋତୁଗୁଡ଼ିକରେ ହିମାଳୟସ୍ଥିତ ଅନେକ ତୀର୍ଥ ସ୍ଥଳକୁ ବନ୍ଦ ରଖାଯାଇଥାଏ; କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ପର୍ଯ୍ୟଟନ ସକାଶେ ଏକ ଅନୁକୂଳ ବାତାବରଣ ଥିବା ସମୟ‌େର ମଧ୍ୟ ଅତର୍କିତ ଭାବେ ଦାରୁଣ ଦୁର୍ବିପାକମାନ ଘଟି ଯାଉଛି, ଯେମିତି ଏହି ଘଟଣାରେ ଦେଖିବାକୁ ମିଳିଛି!
ଗଲା କିଛି ବର୍ଷ ଧରି ହିମାଳୟ କ୍ରୋଡ଼ରେ ଘଟି ଚାଲିଥିବା କ୍ଷୁଦ୍ର, ନାତିକ୍ଷୁଦ୍ର ଓ ବୃହତ୍‌ ଦୁର୍ଘଟଣାମାନ ପରିପ୍ରେକ୍ଷୀରେ ପର୍ଯ୍ୟଟନ ଓ ତୀର୍ଥ ସ୍ଥଳଗୁଡ଼ିକର ‘ଧାରଣକ୍ଷମତା’ ଭଳି ବିଷୟ ଆଲୋଚନାର ପରିସରକୁ ଆସୁଛି, କିନ୍ତୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି, ହିମାଳୟର ଅତ୍ୟନ୍ତ ସ୍ପର୍ଶକାତର ପର୍ଯ୍ୟାବରଣ ସଂଦର୍ଭରେ, ମହତ୍ତ୍ବାକାଂକ୍ଷୀ ସରକାରୀ ଓ ବେସରକାରୀ ପ୍ରକଳ୍ପଗୁଡ଼ିକର ସର୍ବନାଶୀ ପରିଣାମ ବାବଦରେ ସତର୍କ କରାଇ ଦେଇ ଅନେକ ପରିବେଶ ପ୍ରବୁଦ୍ଧ ‘ଧାରଣକ୍ଷମ ବିକାଶ’ କଥା କହି ଆସିଥିଲେ ହେଁ ସେମାନଙ୍କୁ କର୍ଣ୍ଣପାତ କରାଯାଇନାହିଁ; ବରଂ, ‘ବିକାଶ ବିରୋଧୀ’ ରୂ‌େପ ସେମାନେ ଭର୍ତ୍ସିତ ଓ ଉପହସିତ ହୋଇଛନ୍ତି। ପ୍ରକାଶ ଥାଉ କି ୨୦୨୩ ମସିହାରେ, ‘ଯୋଶୀ ମଠ’ ସହର ଭୂ-ଗର୍ଭସାତ ହୋଇଯିବାର ବିପର୍ଯ୍ୟୟ ହଠାତ୍‌ ଉଜାଗର ହୋଇଯିବା ପରେ ହେଜକୁ ଆସିଥିଲା ଯେ ୧୯୭୫ ମସିହାରୁ ମହେଶ ମିଶ୍ର କମିଟି ରିପୋର୍ଟ ଏଭଳି ଏକ ସ୍ଥିତି ନେଇ ସତର୍କ କରାଇ ସାରିଥିଲା। ମନେ ରହିବା ଉଚିତ ‌େଯ ହିମାଳୟ ଏକ କର୍ଦ୍ଦମ ପାହାଡ଼ ଯେଉଁଠି ଅତଡ଼ା ଖସିବା ଏକ ସାଧାରଣ ବ୍ୟାପାର ଏବଂ ଏହା ଏକ ଅତ୍ୟନ୍ତ ଭୂମିକଂପପ୍ରବଣ ଭୂଖଣ୍ଡ ଉପରେ ଦଣ୍ଡାୟମାନ ହୋଇଥିବାରୁ ନଦୀବନ୍ଧ ନିର୍ମାଣ ବା ପାହାଡ଼ କାଟି ବିଶାଳ ଟନେଲ, ପ୍ରଶସ୍ତ ରାଜପଥ, ହୋଟେଲ ଆଦିର ନିର୍ମାଣ ଅବିମୃଶ୍ୟକାରିତାର ନିଦର୍ଶନ ହୋଇଥାଏ। କିନ୍ତୁ ଅପର ପକ୍ଷରେ ଏହା ଅକଳ୍ପନୀୟ ଭାବେ ବିଶାଳ ପର୍ଯ୍ୟଟନ ଶିଳ୍ପକୁ ଜନ୍ମ ଦେଇଛି; ‘ଦ ନ୍ୟୁ ଇଣ୍ଡିଆନ ଏକ୍‌ସପ୍ରେସ’ର ଖବର ଅନୁଯାୟୀ ଗଲା ମେ-ଜୁନ୍‌ ମାସରେ ମାତ୍ର ୨୧ ଦିନର ଅବଧିରେ କେଦାରନାଥ ଓ ବଦ୍ରୀନାଥ ପ୍ରତ୍ୟକ୍ଷ କରିଥିଲେ ୧୦ ଲକ୍ଷ ଯାତ୍ରୀଙ୍କ ସମାଗମ, ଯହିଁରେ ସହର ଦ୍ବୟ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଏହି ବୋଝ କେତେ ଅଧିକ ହୋଇପାରେ ତା’ର ଧାରଣା କେବଳ ଏତିକିରୁ ମିଳିବ ଯେ ୨୦୨୨ ମସିହାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସେବାରେ ନିୟୋଜିତ ହୋଇ ସଡ଼କରେ ଟଳି ପଡ଼ିଥିଲେ ୨୦୦ରୁ ଅଧିକ ଖଚର। କିନ୍ତୁ, କଥା ହେଲା, ଏଭଳି ଭିଡ଼ ହେତୁ ରୁନ୍ଧି ହୋଇ ପଡୁଥିବା ସତ୍ତ୍ବେ ସେହି ସହରର ବାସିନ୍ଦାମାନେ ଯେଉଁ ଆର୍ଥିକ ବିକାଶ ଉପଭୋଗ କରୁଛନ୍ତି, ତହିଁରେ ‘ଚଳନ୍ତି ବିକାଶ ମଡେଲ’କୁ ବିରୋଧ କରିବାର ଅର୍ଥ ମଧ୍ୟ ହୋଇପାରେ ତୀବ୍ର ପ୍ରତିକ୍ରିୟା ବରଣ କରିବା, ତେଣିକି ସଡ଼କଗୁଡ଼ିକ ଭୁଶୁଡ଼ି ଯାଆନ୍ତୁ ପଛକେ! ପ୍ରକାଶ ଥାଉ କି ଉପରୋକ୍ତ ଦୁଇଟି ସହର କେବଳ ଉଦାହରଣ ରୂପେ ଉପସ୍ଥାପିତ; ଭାରତ, ନେପାଳ ଓ ତିବ୍ବତ ନିର୍ବିଶେଷରେ ହିମାଳୟ କୋଳରେ ଥିବା ପ୍ରତ୍ୟେକ ତୀର୍ଥ ଓ ପର୍ଯ୍ୟଟନ ଭିତ୍ତିକ ସହରର ଏହା ହିଁ ସ୍ଥିତି!

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ

ଅଷ୍ଟମ ଦଶକରେ, ‘ଦ ଇଣ୍ଡିଆ ମାଗାଜିନ ଅଫ ହର୍‌ ପିପୁଲ ଏଣ୍ଡ କଲଚର’ ପତ୍ରିକାରେ ବୃତ୍ତଚିତ୍ର ନିର୍ମାତା ଶୁଦ୍ଧବ୍ରତ ସେନଗୁପ୍ତଙ୍କ ଲିଖିତ ଏକ ଆଲେଖ୍ୟରେ ପଢ଼ିବାକୁ ମିଳିଥିଲା ଦୁର୍ଗମ ପଥ ଅତିକ୍ରମ କରି ‘ସ୍ପିତି’ ପହଞ୍ଚିବାର ଅନୁଭୂତି କଥା। ହିମାଳୟ କୋଳରେ, ହିମାଚଳପ୍ରଦେଶର ଏହି ଜିଲ୍ଲା, ଏକ ଶୀତଳ ମରୁ। ସେହି ସମୟରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ଅତ୍ୟନ୍ତ ସୀମିତ; ଅଞ୍ଚଳବାସୀଙ୍କ ମୁଖ୍ୟ ଅଭିଯୋଗ ଥିଲା ଯେ ସେମାନେ ବିକାଶର ଆଲୋକରୁ ସଂପୂର୍ଣ୍ଣ ବଞ୍ଚିତ। ତେବେ, ଶୁଦ୍ଧବ୍ରତ ଯାଇଥିବା ସେହି ଗ୍ରାମର କେବଳ ଜଣେ ମାତ୍ର ବୃଦ୍ଧ କହିଥିଲେ, ‘ଭଲ ହୋଇଛି! ବାଟ ଖୋଲିଗଲେ ସବୁ ସରିଯିବ!’ ଶୁଦ୍ଧବ୍ରତ ଦ୍ବନ୍ଦ୍ବରେ ପଡ଼ିଥିଲେ। ବାଟ ଖୋଲିବା ଉଚିତ ନା ନୁହେଁ? ଅବଶ୍ୟ, ଉତ୍ତର ମଧ୍ୟ ପାଇଥିଲେ ଯେ ଖୋଲିବା ଉଚିତ, କିନ୍ତୁ, ସର୍ତ୍ତ ହେଲା, ପର୍ଯ୍ୟଟକ ସଚେତନ ହୋଇଥିବେ, ନିଜ ପରିବେଶ ଓ ସଂସ୍କୃତିକୁ ସଂରକ୍ଷଣ ଦେବାକୁ ସ୍ଥାନୀୟ ବାସିନ୍ଦା ବଦ୍ଧପରିକର ହୋଇଥିବେ ଏବଂ ସରକାର ବିଚାରବନ୍ତ ସମନ୍ବୟୀ ବିକାଶ କଥା ଚିନ୍ତା କରୁଥି‌ବେ! ଶୁଦ୍ଧବ୍ରତଙ୍କ ସ୍ପିତି ଯାତ୍ରାର ଚାରି ଦଶନ୍ଧି ପରେ ଏବର ସ୍ଥିତି ହେଲା, ଏହି ଅଞ୍ଚଳ ପ୍ରତି ବର୍ଷ ପାଞ୍ଚରୁ ଦଶ ଲକ୍ଷ ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି, ସ୍ଥାନୀୟ ବାସିନ୍ଦା ଆର୍ଥିକ ଭାବେ ଉପକୃତ ହେଉଛନ୍ତି, ଭିତ୍ତିଭୂମିର ବିକାଶ ଘଟିଛି, କିନ୍ତୁ କ୍ବଚିତ୍‌ କେହି ଅନୁଧ୍ୟାନ କରୁଥିବେ ଯେ ସେହି ବୃଦ୍ଧ କହିଥିବା ଭଳି ‘ସବୁ କିଛି ସରିଯିବା’ ଭଳି କିଛି ସନ୍ତର୍ପଣରେ ଘଟି ଯାଉନାହିଁ ତ? ତେଣୁ ବିପର୍ଯ୍ୟୟ ଘଟିସାରିଲା ପରେ ଚେତା ପଶୁଛି! ତା’ ପରେ ଉଦ୍‌ବେଗର ବିସ୍ଫୋରଣ, କିଛି ଦିନର ସଘନ ଆଲୋଚନା ଏବଂ ଶେଷରେ ଆଉ ଏକ ବିପର୍ଯ୍ୟୟ ନ ଘଟିବା ପର୍ଯ୍ୟନ୍ତ ଆରାମପ୍ରଦ ବିସ୍ମରଣ! ତେଣୁ ଉପକ୍ରମରେ କୁହାଯାଇଥିବା ଭଳି ଦୁର୍ବିପାକର ଚକ୍ର ଘୂରି ଚାଲିବ ଏବଂ ବାରମ୍ବାର ଆସି ଆମ ଆଗରେ ଛିଡ଼ା ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.