ARTICLE AD BOX
ଚାକିରି ଖୋଜୁଥିବା ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ନିଯୁକ୍ତିର ସୁଯୋଗ ରହିଛି। ତାମିଲନାଡୁ ସର୍କଲ ଅଧୀନରେ ଡାକ ବିଭାଗର ମେଲ୍ ମୋଟର ସର୍ଭିସ୍ ଷ୍ଟାଫ୍ କାର୍ ଡ୍ରାଇଭର (ଅର୍ଡିନାରୀ ଗ୍ରେଡ୍) ପଦବି ପାଇଁ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଜରିଆରେ ମୋଟ ୨୪ଟି ଖାଲି ପଦ ପୂରଣ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ। ନଭେମ୍ବର ୩୦ ଆବେଦନର ଶେଷ ତାରିଖ।
ନିଯୁକ୍ତିରେ ଚୟନ ହେଲେ ପ୍ରାର୍ଥୀଙ୍କୁ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ ଅନୁଯାୟୀ ଦରମା ମିଳିବ। ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ଡ୍ରାଇଭିଂ ଅଭିଜ୍ଞତା, ବୟସ ସୀମା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜାଣିନେବା ଆବଶ୍ୟକ।
କେତୋଟି ପଦବି ପାଇଁ ହେବ ନିଯୁକ୍ତି?
ମୋଟ ୨୪ଟି ଷ୍ଟାଫ୍ କାର୍ ଡ୍ରାଇଭର ପଦବି ମଧ୍ୟରୁ ୧୩ଟି ଅଣସଂରକ୍ଷିତ ବର୍ଗ ପାଇଁ ରହିଛି। ସେହିପରି ଅନୁସୂଚିତ ଜାତି (SC) ବର୍ଗ ପାଇଁ ୩ଟି, ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପାଇଁ ୭ଟି ଏବଂ ଆର୍ଥିକ ଦୁର୍ବଳ ବର୍ଗ (EWS) ପାଇଁ ଗୋଟିଏ ପଦବି ସଂରକ୍ଷିତ ରହିଛି।
ଯୋଗ୍ୟତା?
କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ବୈଧ ହାଲୁକା ମୋଟର ଯାନ (LMV) ଏବଂ ଭାରୀ ମୋଟର ଯାନ (HMV) ଚାଳନା ଲାଇସେନ୍ସ ରହିଥିବା ଜରୁରୀ। ଯାନ ଚଳାଇବାରେ ଅତିକମରେ ତିନି ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଗାଡ଼ିରେ ଦେଖାଦେଉଥିବା ସାଧାରଣ ତ୍ରୁଟିକୁ ଚିହ୍ନଟ କରିବା ଓ ଛୋଟମୋଟ ମରାମତି ସମ୍ପର୍କରେ ଜ୍ଞାନ ରହିଥିବା ଆବଶ୍ୟକ।
ବୟସ ସୀମା?
ନଭେମ୍ବର ୩୦, ୨୦୨୬ ସୁଦ୍ଧା ସାଧାରଣ ବର୍ଗ ଓ EWS ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ। SC ଓ ST ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ ପାଇଁ ତିନି ବର୍ଷର ଛାଡ଼ ବ୍ୟବସ୍ଥା ରହିଛି।
ଆବେଦନ ଶୁଳ୍କ?
ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି। ତେବେ ମହିଳା, SC ଓ ST ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଅନ୍ୟ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଚାଲାଣ ଫର୍ମ ବ୍ୟବହାର କରି କମ୍ପ୍ୟୁଟରୀକୃତ ଡାକଘରରେ ଇ-ପେମେଣ୍ଟ ମାଧ୍ୟମରେ ଶୁଳ୍କ ଜମା କରିବେ। ଶୁଳ୍କ ଜମା କରିବା ପରେ ମିଳୁଥିବା ମୂଳ ଡାକ ପେମେଣ୍ଟ ରସିଦକୁ ଆବେଦନ ଫର୍ମ ସହ ସଂଲଗ୍ନ କରିବାକୁ ପଡ଼ିବ। ଅନ୍ୟ ମାଧ୍ୟମରେ ଶୁଳ୍କ ଦେଲେ ତାହା ଗ୍ରହଣୀୟ ହେବ ନାହିଁ ।
ଦରମା?
ଏହି ପଦବିର ମାସିକ ବେତନ ୧୯,୯୦୦ ଟଙ୍କାରୁ ଆରମ୍ଭ ହୋଇ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ସରକାରୀ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।
କିପରି କରିବେ ଆବେଦନ?
ଏହି ନିଯୁକ୍ତି ପାଇଁ ଅଫଲାଇନ୍ରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ ଭାରତୀୟ ଡାକ ବିଭାଗର ଅଧିକାରିକ ୱେବସାଇଟ୍ indiapost.gov.inକୁ ଯାଇ ସମ୍ପୃକ୍ତ ନିଯୁକ୍ତି ବିଜ୍ଞପ୍ତି ଖୋଜନ୍ତୁ। ବିଜ୍ଞପ୍ତିରୁ ଆବେଦନ ଫର୍ମ ଡାଉନଲୋଡ୍ କରି ଏହାର ପ୍ରିଣ୍ଟ ବାହାର କରନ୍ତୁ। ଫର୍ମରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା ଓ ଡ୍ରାଇଭିଂ ଲାଇସେନ୍ସ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ଦ୍ଦିଷ୍ଟ ଭାବରେ ପୂରଣ କରନ୍ତୁ। ପୂରଣ କରାଯାଇଥିବା ଫର୍ମ ଓ ସମସ୍ତ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ନିର୍ଦ୍ଧାରିତ ଠିକଣାକୁ ସ୍ପିଡ୍ ପୋଷ୍ଟରେ ପଠାନ୍ତୁ।
ଆବେଦନ ପଠାଇବା ଠିକଣା:
ବରିଷ୍ଠ ପ୍ରବନ୍ଧକ (ସିନିୟର୍ ମ୍ୟାନେଜର୍), ମେଲ୍ ମୋଟର ସର୍ଭିସ୍,
ନଂ. ୩୭, ଗ୍ରୀମ୍ସ ରୋଡ୍,
ଚେନ୍ନାଇ – ୬୦୦୦୦୬
ଆବେଦନ ଅବଧି?
ଏହି ନିଯୁକ୍ତି ପାଇଁ ଆବେଦନ ପହଞ୍ଚିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୬, ଅପରାହ୍ନ ୫ଟା। ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ ପଠାଇବା ଆବଶ୍ୟକ। ଆବେଦନ କରିବା ପୂର୍ବରୁ ଭାରତୀୟ ଡାକ ବିଭାଗର ଅଧିକାରିକ ବିଜ୍ଞପ୍ତିରୁ ଯୋଗ୍ୟତା, ଆବଶ୍ୟକ ଦସ୍ତାବିଜ, ଶୁଳ୍କ ଜମା ପ୍ରକ୍ରିୟା ଓ ଆବେଦନ ପଠାଇବାର ସମସ୍ତ ସର୍ତ୍ତ ନିଶ୍ଚିତ କରିନେବା ଉଚିତ।

1 hour ago
1


