ARTICLE AD BOX
ଲଣ୍ଡନ: ଭାରତର ଋଣ ଆଦାୟ ଓ ସମାଧାନ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟା। ଜୀ ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଦେବାଳିଆ ପ୍ରକ୍ରିୟାରେ ୨୨,୦୦୬.୫୭ କୋଟି ଟଙ୍କାର ଦାବି ବିପକ୍ଷରେ ମାତ୍ର ୬.୫ କୋଟି ଟଙ୍କାର ପରିଶୋଧ ଯୋଜନାକୁ ମଞ୍ଜୁରି ମିଳିବା ପରେ ମାଲ୍ୟା ଏଭଳି ପ୍ରଶ୍ନ କରିଛନ୍ତି। ତାହା ମୋଟ ଦାବିର ପ୍ରାୟ ୦.୦୩ ପ୍ରତିଶତ ମାତ୍ର। ମାଲ୍ୟା କହିଛନ୍ତି ଯେ ତାଙ୍କଠାରୁ ୬,୨୦୩ କୋଟି ଟଙ୍କା ଆଦାୟ ହେବାକୁ ଥିବା ବେଳେ ବ୍ୟାଙ୍କଗୁଡ଼ିକ ୧୪,୧୦୦ କୋଟି ଟଙ୍କା ଆଦାୟ କରିସାରିଲେଣି। ଅନ୍ୟପଟେ ଅନେକ ଋଣଗ୍ରହୀତା ମୂଳ ଦାବିର ଅତ୍ୟନ୍ତ କମ୍ ଅଂଶରେ ମାମଲା ସମାଧାନ କରୁଛନ୍ତି। ସେ ଭାରତୀୟ ଋଣ ସମାଧାନ ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ସମାନ ନୁହେଁ ବୋଲି କହିଛନ୍ତି। ଭିନ୍ନ ଭିନ୍ନ ଋଣ ମାମଲାରେ ଆଦାୟ, ସମାଧାନ ଓ ‘ହେୟାରକଟ୍’ରେ ଏତେ ବଡ଼ ପାର୍ଥକ୍ୟ କାହିଁକି ବୋଲି ମାଲ୍ୟା ପ୍ରଶ୍ନ କରିଛନ୍ତି।
ଆଦାୟ ହୋଇଥିବା ରାଶି ନେଇ ଅଭିଯୋଗ
ମାଲ୍ୟା ଗତ ଡିସେମ୍ବରରେ ମଧ୍ୟ ତାଙ୍କଠାରୁ ଆଦାୟ ହୋଇଥିବା ରାଶି ନେଇ ସରକାର ଓ ସରକାରୀ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ତଥ୍ୟ ଦେଉଥିବା ଅଭିଯୋଗ କରିଥିଲେ। ଏହାର ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କରିବାକୁ ସେ ଦାବି କରିଥିଲେ। ଏହି ବିବାଦ ମଧ୍ୟରେ ବମ୍ବେ ହାଇକୋର୍ଟ ମଧ୍ୟ ଚଳିତ ମାସରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମାଲ୍ୟାଙ୍କ ଜବତ ସମ୍ପତ୍ତିରୁ ମିଳିଥିବା ଅର୍ଥରେ ତାଙ୍କ ଋଣ ଓ ଦାୟିତ୍ୱ ପୂରାପୂରି ପରିଶୋଧ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ କହିଥିଲେ।

10 hours ago
4


