Life mantra: ଜୀବନ-ମନ୍ତ୍ର: ପୁତ୍ରଦା ଏକାଦଶୀ

6 days ago 3
ARTICLE AD BOX

ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀର ନାଆଁ ପୁତ୍ରଦା ଏକାଦଶୀ। ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ଏକାଦଶୀର ମାହାତ୍ମ୍ୟ କହିଛନ୍ତି। ଏ ସଂପର୍କରେ ଯୁଧିଷ୍ଠିର ପଚାରିବାରେ, ଶ୍ରୀକୃଷ୍ଣ ତାଙ୍କୁ କହିଛନ୍ତି- ଏହି ଏକାଦଶୀର କଥା ପାପନାଶିନୀ। ଏହି କଥା ଶୁଣିଲେ ବାଜପେୟ ଯଜ୍ଞର ଫଳ ମିଳେ। ପୁଦ୍ରଦା ଏକାଦଶୀ କଥା ଅନୁସାରେ- ଦ୍ବାପରଯୁଗରେ ମାହିଷ୍ମତୀପୁରୀରେ ମହୀଜିତ୍‌ ନାମରେ ଜଣେ ରାଜା ଥିଲେ। ସେ ଥିଲେ ପୁତ୍ରହୀନ। ତେଣୁ ସେ ସୂଚାରୁରୂପେ ରାଜ୍ୟଶାସନ କଲେ ମଧ୍ୟ ସୁଖଲାଭ କରିପାରୁ ନ ଥିଲେ। ସବୁବେଳେ ସେ ଭାବୁଥିଲେ, ପୁତ୍ରହୀନ ବ୍ୟକ୍ତି ଇହଲୋକ ବା ପରଲୋକ କେଉଁଠାରେ ସୁଖୀ ହୋଇପାରେ ନାହିଁ।

Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଏହିପରି ଭାବରେ ଅନେକ ବର୍ଷ ବିତିଗଲା। କିନ୍ତୁ ସେ ପୁତ୍ରଟିଏ ପାଇପାରିଲେ ନାହିଁ। ବୃଦ୍ଧ ବୟସ ଆସିବା ତାଙ୍କୁ ଆହୁରି ଚିନ୍ତିତ କରୁଥିଲା। ଦିନେ ପ୍ରଜା ଓ ପୁରୋହିତମାନଙ୍କ ସହିତ ଏକ ସଭାରେ ବସିଥିବାବେଳେ, ସେ ମନର ଭାବନା ବ୍ୟକ୍ତ କରି କହିଲେ- ପ୍ରିୟ ପ୍ରଜାଗଣ! ମୁଁ ମୋର ଜନ୍ମଠାରୁ ଏଯାଏ ଜାଣତରେ କୌଣସି ପାପ କରିନାହିଁ। ଅନ୍ୟାୟ ଭାବରେ ଅନ୍ୟ କାହାର ସଂପତ୍ତି ଲୁଟି ଆଣି ରାଜକୋଷକୁ ସମୃଦ୍ଧ କରିନାହିଁ। କେବେ ଦେବତା ବା ବ୍ରାହ୍ମଣଙ୍କ ସଂପତ୍ତି ମଧ୍ୟ ହରଣ କରିନାହିଁ। ମୁଁ ପ୍ରଜାଙ୍କୁ ପୁତ୍ରବତ୍‌ ପାଳନ କରିଛି ଏବଂ ସର୍ବଦା ଧର୍ମମାର୍ଗରେ ହିଁ ବିଜୟଲାଭ କରି ଆସିଛି। ଶିଷ୍ଟ ଲୋକଙ୍କୁ ମଧ୍ୟ ପୂଜା କରି ଆସିଛି। ଏବେ ଆପଣମାନେ ବିଚାର କରନ୍ତୁ, ମୁଁ କାହିଁକି ପୁତ୍ରହୀନ ହେଲି। ଅାପଣମାନେ ମୋତେ ଯଥାଉପଦେଶ ପ୍ରଦାନ କରନ୍ତୁ।

ରାଜାଙ୍କର ଏ କଥା ଶୁଣି, ବ୍ରାହ୍ମଣ ଓ ପୁରୋହିତଗଣ ତାଙ୍କୁ କଲ୍ୟାଣ କରିବା ସହିତ ତାଙ୍କ ପାଇଁ ଏକ ଋଷି ଆଶ୍ରମର ସନ୍ଧାନରେ ଲାଗିଗଲେ। ସେମାନେ ବନ ମଧ୍ୟରେ ଏକ ନିରାହାର ଓ ଜିତେନ୍ଦ୍ରିୟ ଋଷିଙ୍କର ସନ୍ଧାନ ପାଇଲେ। ସେ ଥିଲେ ସର୍ବଶାସ୍ତ୍ରଜ୍ଞ ଲୋମଶ ମୁନି। ସେ ଥିଲେ କଳ୍ପଜୀବୀ ଏବଂ ଦ୍ବିତୀୟ ବ୍ରହ୍ମାଙ୍କ ତୁଲ୍ୟ। ଗୋଟିଏ ଗୋଟିଏ କଳ୍ପ ବିତିଲେ ତାଙ୍କର ଗୋଟିଏ ଗୋଟିଏ କେଶ ଝଡ଼େ। ସେମାନଙ୍କୁ ଦେଖି ଲୋମଶମୁନି ଆସିବାର କାରଣ ପଚାରିଲେ। ପ୍ରଜା ଓ ବ୍ରାହ୍ମଣମାନେ କହିଲେ- ତାଙ୍କର ରାଜା ଅପୁତ୍ରିକ ଥିବାରୁ ସେମାନେ ମଧ୍ୟ ଦୁଃଖୀ। ରାଜା କିପରି ପୁତ୍ରଲାଭ କରିବେ, ସେଥିପାଇଁ ସେମାନେ ଋଷିଙ୍କର ଉପଦେଶ ବାଞ୍ଛା କଲେ। ଲୋମଶ ମୁନି କହିଲେ- ପୂର୍ବଜନ୍ମରେ ରାଜା ମହୀଜିତ୍‌ ଥିଲେ ଜଣେ ଧନହୀନ ବୈଶ୍ୟ। ଦିନେ ବୁଲି ବୁଲି ପଣ୍ୟଦ୍ରବ୍ୟ ବିକୁ ବିକୁ ତାଙ୍କୁ ପ୍ରବଳ ଶୋଷ ଲାଗିଲା। ସେ ଗ୍ରାମର ପୁଷ୍କରିଣୀରୁ ଜଳପାନ କରିବାକୁ ଯିବାବେଳେ ଗୋଟିଏ ଗାଈ ତା’ର ବାଛୁରୀ ସହିତ ସେଠାରେ ଜଳପାନ କରୁଥିଲା। ଗାଈ ଓ ବାଛୁରୀଙ୍କୁ ଘଉଡ଼ାଇ ଦେଇ ସେ ନିଜେ ଜଳପାନ କଲେ। ସେହି ପାପ ଯୋଗୁଁ ଏ ଜନ୍ମରେ ସେ ପୁତ୍ରହୀନ ହୋଇଛନ୍ତି। ତେବେ ଅନ୍ୟ କୌଣସି ଜନ୍ମର ପୁଣ୍ୟ ହେତୁ ଏ ଜନ୍ମରେ ସେ ପ୍ରଜାବତ୍ସଳ ଓ ସଦାଚାରୀ ରାଜା ହୋଇଛନ୍ତି।

Horoscope 2026 August 21: ଜାଣନ୍ତୁ ଆଜିର ରାଶିଫଳ...

ତାହା ଶୁଣି ପ୍ରଜା ଓ ବ୍ରାହ୍ମଣ ପଚାରିଲେ- ଆମେ ଶୁଣିଛୁ, ପୁଣ୍ୟ ଦ୍ବାରା ପାପ ନାଶଯାଏ। ଏଣୁ ରାଜାଙ୍କର ସେହି ପାପର ନାଶ କିପରି ହେବ ସେ ଉପାୟ ଆମକୁ କହନ୍ତୁ। ତାହାର ଉତ୍ତରରେ ଲୋମଶ ମୁନି ତାଙ୍କୁ ଶ୍ରାବଣ ଶୁକ୍ଳ ଏକାଦଶୀର ପୁତ୍ରଦା ଏକାଦଶୀ କରିବାକୁ କହିଲେ। ପ୍ରଜା ଓ ବ୍ରାହ୍ମଣମାନେ ଫେରିଆସି ସେହି ଏକାଦଶୀ ପାଳନ କଲେ ଏବଂ ତାହାର ପୁଣ୍ୟଫଳ ରାଜାଙ୍କୁ ପ୍ରଦାନ କରିବାରୁ ରାଜା ଏକ‌ ତେଜସ୍ବୀ ପୁତ୍ର ଲାଭକଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.