ARTICLE AD BOX
ଅନୁଭବର ଗଙ୍ଗାଜଳ
ମିନାକ୍ଷୀ ଦ୍ବିବେଦୀ
ଜୀବନର ଅନ୍ତର୍ବର୍ତ୍ତୀ ପ୍ରହରରେ
ହଠାତ୍ ଦିନର ଆଲୋକ
ସନ୍ଧ୍ୟାର କୋମଳ ରଙ୍ଗରେ ଢଳିଯାଏ
ଆଉ ସମୟ ଚୁପ୍ଚାପ୍ ଆସି
କାନ୍ଧରେ ହାତ ରଖି କହେ
ଏବେ ନିଜକୁ ଥରେ ଚିହ୍ନିନେ
ସେଠାରେ କୋଳାହଳର କୌଣସି ଠିକଣା ନଥାଏ,
କେବଳ ହୃଦୟ ଗଭୀରେ
ଅଶୁଣା ଏକ ବୀଣାର ସ୍ୱର
ଧୀରେ ଧୀରେ ବାଜିଉଠେ।
ଯେଉଁମାନଙ୍କୁ
ଆମେ ନିଜର ବୋଲି ଭାବିଥିଲୁ
ସେମାନେ କୁହୁଡ଼ି ପରି
ଧୀରେ ଧୀରେ ମିଳାଇ ଯାଆନ୍ତି
କିନ୍ତୁ ଅନ୍ତରର ଆକାଶରେ
ଆଶାର ଗୋଟିଏ ଧ୍ରୁବତାରା ଜଳି ରହିଥାଏ।
ଆହୁରି ପଢ଼ନ୍ତୁ- Nuakhai 2026: ବାହାରିଲା ଲଗ୍ନ; ମା’ ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ
ସେହି ମୋଡ଼ରେ
ଲୁହ ଆଉ ଦୁଃଖ ନୁହେଁ
ସେ ହୋଇଯାଏ ଅନୁଭବର ପବିତ୍ର ଗଙ୍ଗାଜଳ
ପ୍ରତ୍ୟେକ କ୍ଷତ ଜୀବନର ଗୀତରେ
ନୂଆ ଏକ ସୁର ଯୋଡ଼ିଦିଏ।
ତା’ପରେ ବୁଝାପଡ଼େ
ପଥ ହରାଇବା ମାନେ
ଗନ୍ତବ୍ୟ ହରାଇବା ନୁହେଁ
କେବେ କେବେ ଭୁଲ ରାସ୍ତା ହିଁ
ଠିକ୍ ଦିଗର ସନ୍ଧାନ ଦେଇଥାଏ
ଜୀବନର ସେହି ମୋଡ଼ରେ
ମଣିଷ ହୋଇଯାଏ ଆକାଶଠାରୁ ବିଶାଳ
ସମୁଦ୍ରଠାରୁ ଗଭୀର
ଆଉ ମାଟି ପରି ନମ୍ର।
ଆହୁରି ପଢ଼ନ୍ତୁ- Nita Ambani: ଶ୍ରୀକୃଷ୍ଣଙ୍କ ଭଜନରେ ଝୁମିଲେ ନୀତା, ଈଶା, ଶ୍ଲୋକା ଓ ରାଧିକା
ସେତେବେଳେ
ପ୍ରତ୍ୟେକ ସୂର୍ଯ୍ୟୋଦୟ
ନୂଆ ପ୍ରତିଶ୍ରୁତି ହୋଇ ଆସେ
ପ୍ରତ୍ୟେକ ସୂର୍ଯ୍ୟାସ୍ତ ଅଧୁରା ସ୍ୱପ୍ନକୁ
ଆସନ୍ତାକାଲି ପାଇଁ ସାଇତି ରଖିଯାଏ
ଆଉ ସେହି ମୋଡ଼ରେ ଠିଆ ହୋଇ
ମନ କହେ
ଜୀବନ କେବେ ବି ଥକିଯାଏ ନାହିଁ
ଥକିଯାଏ କେବଳ ଆମର ଭୟ
ସାହସର ଛୋଟ ପ୍ରଦୀପଟିଏ ଜଳିଉଠିଲେ
ଅନ୍ଧାର ମଧ୍ୟ ଆଲୋକର ପଥ ପଚାରିବାକୁ ଲାଗେ।
ମୋ: ୭୯୭୮୦୮୨୮୩୪
ଅଧିକ ଦେଖନ୍ତୁ-

49 minutes ago
1


