ARTICLE AD BOX
ଗପସପ
ପ୍ରତିଭା ପରିଡ଼ା
ଆସ ମ!
ଏଇଠି ଟିକେ ବସିପଡ଼ିବା,
କିଛି କଥା ହେବା
କଥାରେ ପରା
ରାଜ୍ୟ ଚଳୁଛି
ଭାତ ଛିଞ୍ଚା ହେଉଛି
ପାଗ ଭିଡ଼ା ହେଉଛି
ତ, ମାଢ଼ ଭାଙ୍ଗି ପଡୁଛି।
ଏଠି ଏଇ ଖୋଲା ପଡ଼ିଆରେ
ଧାପେ ପବନ ମିଳୁନି
ଉଛୁଳୁ ମୁଛୁଳୁ ପୋଖରୀରେ
କାହିଁ, ପାଣି ଚଳେ ବି ଦିଶୁନି
କୁହ ତ, ଦୁଃଖ ସୁଖ ଜଞ୍ଜାଳ
ତେଲ ଲୁଣ ସଂସାର
ଘୋଡ଼ା ହାତୀ ଯୁଦ୍ଧ ପ୍ରେମ ବେପାର
ସେମିତି ଲାଗି ରହିଛି ତ କାଳ କାଳ
ଏବେ ଥାଉ ସେସବୁ,
ଆସ ଟିକେ ପାଖାପାଖି ବସିଯିବା
କିଛି କଥା ହେବା
ମନ ପାଟି ସାଧ ମେଣ୍ଟାଇବା।
ଆହୁରି ପଢ଼ନ୍ତୁ- Jio: ଜିଓକୁ ୧୧,୦୦୩ କୋଟିର ଟିକସ ଆଶ୍ବସ୍ତି, ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ବିଜୟ
ଛାତି ପାଣି ଫାଟି ଯାଉଥିବ
କଞ୍ଚା ମାଟିର ଡହଡହ ତାତିରେ ବି,
ହାଡ଼ ମାଂସ ତରଳୁ ନଥିବ
ବରଂଚ କିଛି ମିଠା ଜହର
ଦେହ ମନ ଚରିଯାଉଥିବ
ଲାଭ କ୍ଷତି ବଣିଜର ଅଡୁଆ ନଥିବ।
କିଏ ବା’ କାହାର ଏଠି ଧାରୁଥାଏ!
କାହା ଭାଗ୍ୟ ଏଠି
କିଏ ସମ୍ଭାଳୁ ଥାଏ ଯେ,
ଏଇ କଥା ପଦେ ଲାଗି ଯାହା
ମଶାଣି ପଡ଼ାରେ କାକର ଜମୁଥାଏ
ଆସ! ଟିକେ ଗପସପ ହେବା
ଏକ ଅଲଗା ବାଗରେ
ହାତମୁଠାର ଜୀବନକୁ ଜିଇଯିବା
ଗୋଟେ ନିଆରା ଢଙ୍ଗରେ।
ଆହୁରି ପଢ଼ନ୍ତୁ- Gajapati: ଗାଁକୁ ନାହିଁ ପକ୍କା ରାସ୍ତା, ପୁଣି ଖଟିଆରେ ବୁହା ହେଲେ ରୋଗୀ
ଆମେ ଭିଜୁଥିବା
ସବୁଜ ମାଟିର ଓଦା ଗାଲିଚାରେ
ସାରା ଶବ୍ଦ ବୁଣି ହୋଇ ପଡୁଥିବ
ପତ୍ର ଫାଙ୍କର ଜହ୍ନ ଆଲୁଅରେ
ସବୁରି ହୃଦୟ ଝଳି ଉଠୁଥିବ
କଥା ଦର୍ପଣରେ
ବତୁରି ଯାଉଥିବ ସାରା ପୃଥ୍ବୀ
ଆପଣାପଣରେ।
ମୋ: ୮୯୧୭୬୦୩୪୪୨
ଅଧିକ ଦେଖନ୍ତୁ-

1 day ago
5


