ARTICLE AD BOX
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଚାରିଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କ୍ଷମତାସୀନ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳକୁ କଟାକ୍ଷ କରିଛି ବିଜେପି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ପୁରୁଣା ଫଟୋ ପ୍ରକାଶ କରି ବିଜେପିର କର୍ଣ୍ଣାଟକ ଶାଖା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛି, ‘ଡିକେ, ଖେଳ ଶେଷ, ଭାଇ। ଏମ୍ଏଲ୍ସି ନିର୍ବାଚନରେ ଚାରିଟି ଯାକ ଆସନରେ ଏନ୍ଡିଏ ବିଜୟୀ।’ ବୁଧବାର ଦଳର ଏହି ଟିପ୍ପଣୀ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି।
ବିଜେପି ପ୍ରକାଶ କରିଥିବା ଫଟୋଟି ଫେବ୍ରୁଆରି ୨୦୨୩ର। ସେତେବେଳେ କର୍ଣ୍ଣାଟକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବଜେଟ୍କୁ ବିରୋଧ କରି ବିଧାନସୌଧ ଭିତରେ ଶିବକୁମାର ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ। ତାଙ୍କ ମୁଣ୍ଡରେ ଗେଣ୍ଡୁଫୁଲ ଥିବା ଫଟୋକୁ ବିଜେପି ଏବେ ବ୍ୟବହାର କରି କଂଗ୍ରେସର ପରାଜୟକୁ ନେଇ ବ୍ୟଙ୍ଗ କରିଛି।
MLC Election: ୪ ରାଜ୍ୟରେ ୨୮ ଏମ୍ଏଲ୍ସି ଆସନରେ କଂଗ୍ରେସ ହାତ ଖାଲି
ତେବେ ଶିବକୁମାର ଭୋଟରଙ୍କ ରାୟକୁ ସମ୍ମାନ ଜଣାଇଛନ୍ତି। ଦଳ ଦୁଇଟି ଆସନ ଜିତିବ ବୋଲି ଆଶା କରିଥିଲା ବୋଲି ସେ କହିଛନ୍ତି। ଫଳାଫଳରୁ ଦଳକୁ ଏକ ବାର୍ତ୍ତା ମିଳିଛି ଏବଂ ସଂଗଠନକୁ ମଜଭୁତ କରିବା ପାଇଁ କର୍ମୀମାନଙ୍କୁ ପ୍ରସ୍ତୁତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ ଜେଡିଏସ୍ ଯୁବ ଶାଖାର ଅଧ୍ୟକ୍ଷ ନିଖିଲ କୁମାରସ୍ୱାମୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ନିର୍ବାଚନ ଇଭିଏମ୍ ବଦଳରେ ବାଲଟ୍ ପେପର୍ରେ ହୋଇଥିବାରୁ ଏବେ କଂଗ୍ରେସ ‘କାଗଜ ଚୋରି’ ଅଭିଯୋଗ କରିବ କି ବୋଲି ସେ କଟାକ୍ଷ କରିଛନ୍ତି।

1 hour ago
2


