ARTICLE AD BOX
କାଠମାଣ୍ଡୁ: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ଅତିକମରେ ୩୦୦ ଜଣ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ ଏହି ସୂଚନା ଦେବା ସହ କହିଛନ୍ତି ଯେ ରସୁୱା ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ପ୍ରାଥମିକ ଆକଳନ ଅନୁଯାୟୀ ୧୬୦ ଜଣଙ୍କ ମୃତ୍ୟୁ ଘଟିସାରିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଅନେକ ସହର ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଥିବା ବେଳେ ହଜାର ହଜାର ପରିବାର ନିଜର ବାସଗୃହ ହରାଇଛନ୍ତି।
ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି ୫୦୦ ବିଦେଶୀ ନାଗରିକ
ମାନସରୋବର ଯାତ୍ରା ପାଇଁ ବ୍ୟବହୃତ ମୁଖ୍ୟ ମାର୍ଗଟି ପ୍ରଭାବିତ ହୋଇଥିବାରୁ ନିଖୋଜ ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ରହିଛନ୍ତି। ସେମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ନେପାଳ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। ସୋଟପରି ସମୁଦାୟ ପ୍ରାୟ ୫୦୦ ଜଣ ବିଦେଶୀ ନାଗରିକ ଏବେ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି। ନେପାଳୀ ନାଗରିକଙ୍କ ଭଳି ବିଦେଶୀଙ୍କ ସୁରକ୍ଷା ପ୍ରତି ସରକାର ସମାନ ପ୍ରତିବଦ୍ଧ ବୋଲି ପ୍ରକାଶ କରି ବିଭିନ୍ନ ଦେଶର ଦୂତାବାସ ସହ ନିୟମିତ ସମ୍ପର୍କ ରଖାଯାଇଥିବା ସେ କହିଛନ୍ତି। ଏହି ସଙ୍କଟ ସମୟରେ ଭାରତ ସରକାରଙ୍କ ତୁରନ୍ତ ରିଲିଫ୍ ଓ ସହାୟତା ପାଇଁ ଶିଶିର ଖାନାଲ୍ ନୂଆଦିଲ୍ଲୀକୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ପୋଖରା ଏବଂ ଏଭରେଷ୍ଟ ଅଞ୍ଚଳ ସମେତ ଅଧିକାଂଶ ପର୍ଯ୍ୟଟନ ସ୍ଥଳୀ ସୁରକ୍ଷିତ ଥିବାରୁ ନେପାଳର ପୁନର୍ଗଠନ ପାଇଁ ବିଶ୍ୱବାସୀ ନେପାଳ ସହ ଛିଡ଼ା ହେବାକୁ ଏବଂ ପର୍ଯ୍ୟଟନ ଯାତ୍ରା ଜାରି ରଖିବାକୁ ସେ ଅନୁରୋଧ କରିଛନ୍ତି।

11 hours ago
4


