ARTICLE AD BOX
କାଠମାଣ୍ଡୁ: ନେପାଳ ଓ ଚୀନ୍ ସୀମାବର୍ତ୍ତୀ ତିବ୍ବତ ଅଞ୍ଚଳରେ ଗତକାଲି ଭୂସ୍ଖଳନ ଓ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଆଜି ୩୬୦ରେ ପହଞ୍ଚିଛି। ନେପାଳର ରସୁଆ, ଧାଡ଼ିଙ୍ଗ ଏବଂ ନୁୱାକୋଟ୍ ଜିଲ୍ଲାରେ ଏହି ପ୍ରାକୃତିକ ବିପର୍ଯ୍ୟୟ ସବୁଠାରୁ ଅଧିକ ତାଣ୍ଡବ ରଚିଥିବା ବେଳେ ୫ଟି ଜିଲ୍ଲାରେ ଭୀଷଣ କ୍ଷୟକ୍ଷତି ହୋଇଛି। ଏହି ବିପର୍ଯ୍ୟୟରେ ପ୍ରାୟ ୧,୫୦୦ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅତିକମ୍ରେ ୮୦୦ ଜଣ ବିଦେଶୀ ନାଗରିକ ସାମିଲ ଥିବା ନେଇ ନେପାଳ ପୁଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନେପାଳ ପୁଲିସ ମୁଖପାତ୍ର ଅବି ନାରାୟଣ କାଫ୍ଲେ ଗଣମାଧ୍ୟମକୁ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ ପୁନର୍ବାର ଆରମ୍ଭ କରାଯାଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ସେହିପରି ତିବ୍ବତର ଜିଲୋଙ୍ଗ କାଉଣ୍ଟିରେ ୨୬୦ ବିଦେଶୀଙ୍କ ସମେତ ପ୍ରାୟ ୫୫୮ ଜଣ ନିଖୋଜ ଥିବା ବେଳେ ଜିଲୋଙ୍ଗ ବନ୍ଦର ନିକଟରେ ମାଟି ଅତଡ଼ା ଧସି ୩୦ରୁ ଅଧିକ ନିଖୋଜ ଅଛନ୍ତି।
ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ନେପାଳରେ ନିଖୋଜ ଥିବା ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ ତାମିଲନାଡୁର ବାସିନ୍ଦା ଏବଂ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଭାରତୀୟ ନାଗରିକ ସେଠାରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଶୂଳୀ ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ୭୩ ଜଣ ଭାରତୀୟ କର୍ମଚାରୀ ସାମିଲ ଅଛନ୍ତି।
ଏହା ବ୍ୟତୀତ ତିବ୍ବତ ସୀମାରେ ସୁରକ୍ଷିତ ଥିବା ପ୍ରାୟ ୨୦୦ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସହାୟତା ମାଗିଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଦାରଚେନରେ, ୪ ଜଣ ଜିଲୋଙ୍ଗ ସହରରେ, ୩୦ ଜଣ ଜୁତୁଲଫୁକରେ ଏବଂ ବାକି ୬୦ ରୁ ୭୦ ଜଣ ଅନ୍ୟାନ୍ୟ ସ୍ଥାନରେ ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ଜାରି କରାଯାଇଛି; ବେଜିଂସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ହ୍ବାଟ୍ସଆପ୍ ନମ୍ବର ୦୦୮୬ ୧୮୫୧୪୨୮୪୯୦୫ ଜାରି କରିଛି। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ମଧ୍ୟ ୧୩୪, ୧୧୪୪ ଏବଂ ଟୁରିଷ୍ଟ ପୁଲିସ ନମ୍ବର ୯୮୫୧୨୮୯୪୪୫ କାର୍ଯ୍ୟକ୍ଷମ କରାଯାଇଛି। ଅପରପକ୍ଷରେ ନେପାଳ ସୀମାକୁ ଲାଗିରହିଥିବା ବିହାର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।
Nepal flood: ଭୂକମ୍ପ ନୁହେଁ, ଗ୍ଲେସିୟର ଧସିବାରୁ ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା
ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପ୍ରକାଶ କରିଛନ୍ତି ଯେ ଭାରତ ପକ୍ଷରୁ ନେପାଳକୁ ମାନବୀୟ ସହାୟତା ଯୋଗାଇବା ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଦ୍ବିତୀତ ବିମାନ ଯୋଗେ ୩୭.୫ ଟନ୍ର ଜରୁରୀକାଳୀନ ସାମଗ୍ରୀ,ଔଷଧ ଓ ଶୁଖିଲା ଖାଦ୍ୟ ପଠାଯାଇଛି। ଗତ ରାତିରେ ବାୟୁସେନାର ସି-୧୩୦ଜେ ବିମାନ ଯୋଗେ ୧୦ ଟନ୍ ରିଲିଫ୍ ସାମଗ୍ରୀ ଯଥା ଅସ୍ଥାୟୀ ତମ୍ବୁ, କମ୍ବଳ, ସୋଲାର ଲାଇଟ୍ ପ୍ରଭୃତି ପଠାଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ଆଜି ସକାଳେ ସଡ଼କ ପଥରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନୁୱାକୋଟ୍ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ନେପାଳ ସେନା ମୁଖପାତ୍ର ରାଜା ରାମ ବାସନେତ ସୂଚନା ଦେଇଛନ୍ତି ଯେ ପ୍ରାୟ ୫,୦୦୦ରୁ ଅଧିକ ସେନା ଏବଂ ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତ ପକ୍ଷରୁ ମିଳିଥିବା ହେଲିକପ୍ଟର ସାହାଯ୍ୟରେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଖାଦ୍ୟ ଓ ତମ୍ବୁ ଏୟାରଡ୍ରପ୍ କରାଯାଉଛି।

1 hour ago
8


