ARTICLE AD BOX
କଟକ: ବାରମ୍ବାର ସୁଯୋଗ ସତ୍ତ୍ବେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବା ଓ ଅଦାଲତ ଅବମାନନା ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ହେବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ହାଇକୋର୍ଟ ରାଜ୍ୟର ପୂର୍ବତନଡିଜିପିଯୋଗେଶ ବାହାଦୂର ଖୁରାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାଇକୋର୍ଟ ପୂର୍ବତନ ଡିଜିପି ଶ୍ରୀ ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୦୨୫, ସେପ୍ଟେମ୍ବର ୨୫ର ଆଦେଶର ଜାଣିଶୁଣି ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଶ୍ରୀ ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ।
ଶ୍ରୀ ଖୁରାନିଆ ଅବସର ନେଇ ସାରିଥିବାରୁ ପୁଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ। କାରଣ ଦର୍ଶାଅ ନୋଟିସ ପାଇବାର ୭ ଦିନ ଭିତରେ ଶ୍ରୀ ଖୁରାନିଆ ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଗରିକା ପରିଡ଼ାଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଶ୍ରୀ ଖୁରାନିଆ ଗତ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିସାରିଥିବାରୁ ମାମଲାକୁ ବନ୍ଦ କରାଯାଉ। ଇତି ମଧ୍ୟରେ ପ୍ରତିପକ୍ଷ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ କହିଛନ୍ତି। ୪ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଚାକିରିରେ ପୁନଃସ୍ଥାପିତ ସଂପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ଅବହେଳା ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି।
ସାଗରିକା ପରିଡ଼ା ପୁଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ରେ ସାଗରିକା ପରିଡ଼ା ପୁଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ତଥ୍ୟ ସେ ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଏରସମା ଥାନାରେ ତିନୋଟି ଫୌଜଦାରୀ ମାମଲା ଅତୀତରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ୨୦୨୦, ନଭେମ୍ବର ୧୨ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏପରି ନିର୍ଦ୍ଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ବେଳେ ତାଙ୍କ ତରଫରୁ ଦର୍ଶାଯାଇଥିଲା ଯେ ତଥା କଥିତ ସମସ୍ତ ଫୌଜଦାରୀ ମାମଲାରେ ସେ ଅଦାଲତ ରେ ଦୋଷମୁକ୍ତ ହୋଇଥିଲେ। ଏଥି ସହିତ ଏପରି ଫୌଜଦାରୀ ମାମଲା ସଂକ୍ରାନ୍ତରେ ସେ ଅବଗତ ନଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୦, ନଭେମ୍ବର ୧୨ର ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ତାଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରି ଆର୍ଥିକ ଓ ଚାକିରି ସଂପର୍କିତ ସୁବିଧା ପ୍ରଦାନ ପାଇଁ ୨୦୨୫, ସେପ୍ଟେମ୍ବର ୨୫ରେ ଆଦେଶ ଦେଇଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଜଣିଆ ଖଣ୍ଡପୀଠରେ ଦାୟର ରିଟ ଅପିଲକୁ ହାଇକୋର୍ଟ ୨୦୨୬, ଜୁନ ୨୨ରେ ଖାରଜ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରା ନ ଯିବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ବିରୋଧରେ ରୁଜୁ କରିଥିଲେ। ଅଦାଲତ ଅବମାନନା ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ ପାଳନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଏହି ରାୟ ବିରୋଧରେ ଏସଏଲପି ଦାୟର ହୋଇଥିବା ଦର୍ଶାଯାଇଥିଲା। ଏସଏଲପିର ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଅଦାଲତ ଅବମାନନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିବେଦନ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିଲେ ମଧ୍ୟ, ଯଦି କୌଣସି ରହିତାଦେଶ ନାହିଁ, ତେବେ ଅବମାନନା କାର୍ଯ୍ୟାନୁଷ୍ଠାନକୁ ଅଟକାଯାଇ ପାରିବ ନାହିଁ।

15 hours ago
6


