ARTICLE AD BOX
ନୂଆଦିଲ୍ଲୀ: ପେରୁର ଦକ୍ଷିଣ ଆଣ୍ଡିଜ୍ ଅଞ୍ଚଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା । ଅନେକ ସହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଥିଲେ। ତେବେ ବଡ଼ କଥା ହେଉଛି, ଏତେ ଶକ୍ତିଶାଳୀ ଭୂକମ୍ପ ସତ୍ତ୍ୱେ କୌଣସି ଜନହାନି କିମ୍ବା ସୁନାମି ବିପଦର ଖବର ମିଳିନାହିଁ। ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଅୟାକୁଚୋ ଅଞ୍ଚଳର ପାରିନାକୋଚାସ ପ୍ରାନ୍ତ ନିକଟରେ ଥିବା ବେଳେ ଭୂପୃଷ୍ଠରୁ ପ୍ରାୟ ୬୬.୭ କିଲୋମିଟର ତଳେ ଏହାର ଉତ୍ସ ଥିଲା। ଭୂକମ୍ପର ଗଭୀରତା ଅଧିକ ଥିବାରୁ ଏହାର ଝଟକା ଇକା, ଆରେକ୍ୱିପା ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। ବିଶେଷଜ୍ଞଙ୍କ ମତରେ, ଗଭୀର କେନ୍ଦ୍ରସ୍ଥଳ ଥିବା ଭୂକମ୍ପ ସାଧାରଣତଃ ବହୁ ଦୂର ପର୍ଯ୍ୟନ୍ତ ଅନୁଭୂତ ହେଲେ ମଧ୍ୟ ଭୂପୃଷ୍ଠରେ କ୍ଷୟକ୍ଷତି ତୁଳନାମୂଳକ କମ୍ ହୋଇଥାଏ।
Accident: ହିମାଚଳର ଟନେଲ୍ରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ୪ ମୃତ, ୭ ଗୁରୁତର
ଭୂକମ୍ପ ପରେ ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ତୁରନ୍ତ ସକ୍ରିୟ ହୋଇପଡ଼ିଥିଲେ। ପ୍ରଭାବିତ ଅଞ୍ଚଳରୁ ସୂଚନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ସିଭିଲ୍ ଡିଫେନ୍ସ ଅଧିକାରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆହତଙ୍କ ସୂଚନା ମିଳିନାହିଁ। ସେହିପରି ପେରୁ ନୌସେନା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଭୂକମ୍ପ ଯୋଗୁଁ ସୁନାମିର କୌଣସି ଆଶଙ୍କା ନାହିଁ। ପ୍ରକୃତରେ ପେରୁ ଭୂକମ୍ପ ପ୍ରବଣ ଦେଶ ଭାବେ ପରିଚିତ।
ଏହା ‘ପ୍ୟାସିଫିକ୍ ରିଙ୍ଗ୍ ଅଫ୍ ଫାୟାର’ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ୨୦୦୭ ମସିହାରେ ଇକା ଅଞ୍ଚଳରେ ଆସିଥିବା ୮.୦ ତୀବ୍ରତାର ଭୟଙ୍କର ଭୂକମ୍ପ ୫୧୯ ଜଣଙ୍କ ଜୀବନ ନେଇଥିଲା। ତେଣୁ ଏଥର ୬.୭ ତୀବ୍ରତାର ଭୂକମ୍ପ ପରେ ମଧ୍ୟ ବଡ଼ ବିପଦ ଟଳିଯିବାକୁ ନେଇ ପେରୁବାସୀ ଆଶ୍ୱସ୍ତ ହୋଇଛନ୍ତି। ତଥାପି ପ୍ରକୃତିର ଏଭଳି ଅପ୍ରତ୍ୟାଶିତ ରୂପ ସାମ୍ନାରେ ସତର୍କତା ହିଁ ସବୁଠୁ ବଡ଼ ସୁରକ୍ଷା କବଚ ବୋଲି ବିଶେଷଜ୍ଞମାନେ କହିଛନ୍ତି।

6 days ago
3


