Projects worth 55 crore: ଯାଜପୁରରେ ୫୫କୋଟିର ପ୍ରକଳ୍ପ ଅନାଥ: ଏମିତି ହୋଇଛି ଅର୍ଥ ବରବାଦ, କଲେଜ ପାଇଁ କୋଠା ହୋଇଛି, କର୍ତ୍ତୃପକ୍ଷ ଜାଣିନାହାନ୍ତିି

20 hours ago 5
ARTICLE AD BOX

ଯାଜପୁର: ଯାଜପୁର ଜିଲ୍ଲାରେ ଅଧିକାଂଶ ପ୍ରକଳ୍ପ ଅନାଥ ହୋଇପଡ଼ିଛି। ପୋଲ ନିର୍ମାଣ ହୋଇଛି ହେଲେ ଆପ୍ରୋଚରୋଡ୍‌ ନାହିଁ। କଲେଜ ପାଇଁ କୋଠା ନିର୍ମାଣ ହୋଇଛି ହେଲେ ତାହା ହସ୍ତାନ୍ତର ହୋଇନି। ଯାଜପୁର ଜିଲ୍ଲାରେ ରାଜକୋଷ ଖାଲି କରି କିଭଳି ଠିକାଦାର ପୋଷିବାକୁ ପ୍ରକଳ୍ପ ନିର୍ମାଣ ହେଉଥିଲା ତାହା ଏବେ ନଜରକୁ ଆସୁଛି। ଯନ୍ତ୍ରୀ, ନେତା ପିସି ନେଇ ବସିଗଲେ। ଠିକାଦାର ବିଲ୍‌ ନେଇ ପଳାଇଲେ ଅଥଚ ସରକାରୀ ଅର୍ଥ ଲୋକଙ୍କ କାମରେ ଆସିଲାନାହିଁ। ଯାଜପୁର ଜିଲ୍ଲାର ଏମିତି ଅନେକ ପ୍ରକଳ୍ପ ରହିଛି ଯାହାକୁ ନେଇ ବର୍ତ୍ତମାନର ଯନ୍ତ୍ରୀ, ପ୍ରଶାସକ ବାଟ ପାଉନାହାନ୍ତି। ଏ ପ୍ରକଳ୍ପ ସବୁ କାହିଁକି ଓ କିଏ ଏଷ୍ଟିମେଟ୍‌ କରୁଥିଲା? କେଉଁ ସଂସ୍ଥା‌ ଏହାର କାମ କରିଥିଲା? ପ୍ରକଳ୍ପ ନ ସରୁଣୁ ବିଲ୍‌ କେମିତି ମିଳୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନର ସରକାର ଏହାର ତଦନ୍ତ କରିବାକୁ ଦାବି ଉଠିଛି। ଏମିତି ଏକ ଅନାଥ ପ୍ରକଳ୍ପ ହେଉଛି ଯାଜପୁର ଟାଉନକୁୁ ଷଠିପୁର ଛକରୁ ଗଲାବେଳେ ଏକ ମାଇନର କେନାଲ ଉପରେ ନିର୍ମାଣ ହୋଇଥିବା ସୁଉଚ୍ଚ ‌ପୋଲ(ବକ୍ସ କଲଭର୍ଟ) ପ୍ରକଳ୍ପ। ଏଥିରେ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ତାହା କାମରେ ଆସିନି କି କେବେ ଆସିବ ତାହା କାହାକୁ ଜଣାନାହିଁ। ସେହିଭଳି ଏହି କେନାଲ ବାମପାର୍ଶ୍ବରେ ନିର୍ମାଣ ହୋଇଥିବା ୱାଲ୍‌ ଓ ଫିଲିଂକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ସେହିଭଳି ଏନ୍‌ସି ଜୁନିଅର କଲେଜର ଦ୍ବିତୀୟ କ୍ୟାମ୍ପସକୁ ନେଇ ମଧ୍ୟ ସମାନ କଥା ନଜରକୁ ଆସିଛି। ଏହି ପ୍ରକଳ୍ପ ନିର୍ମାଣ ପରେ ଅନାଥ ବା ପରିତ୍ୟକ୍ତ ହୋଇପଡ଼ିଛି। ସରକାର ଏହି ପ୍ରକଳ୍ପଗୁଡ଼ିକ କିଭଳି କାମରେ ଲାଗିବ ସେଥିପ୍ରତି ଧ୍ୟାନ ଦେବା ସହିତ ଏଥିରେ ହୋଇଥିବା ଅନିୟମିତତାର ତଦନ୍ତ କରିବାକୁ ଦାବି ହୋଇଛି।

ଠିକାଦାର ବିଲ୍‌ ନେଇଗ‌ଲେ: ୧୨ ପୋଲ, କୋଠା ବେକାର
କଲେଜ ପାଇଁ କୋଠା ହୋଇଛି, କର୍ତ୍ତୃପକ୍ଷ ଜାଣିନାହାନ୍ତିି

 ତଥ୍ୟ ମୁତାବକ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ନମ୍ବର ୪୩୦୦-୨୦୨୨ ବଳରେ ଷଠିିପୁର-ଯାଜପୁର ଓ ମଙ୍ଗଳପୁର-କୟାଁଗୋଲା ରାସ୍ତା‌ରେ ଥିବା ମାଇନର କେନାଲ ଉପରେ ମୋଟ ୧୨ଟି ପୋଲ ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ଜାତୀୟ ରାଜପଥ(୫) ବର୍ତ୍ତମାନର ୧୬କୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ମାଇନର କେନାଲ ଉପରେ କ୍ରସିଂ ପୋଲ ନିର୍ମାଣ ପାଇଁ ଷ୍ଟେଟ୍‌ ପ୍ଲାନ୍‌-୨୦୨୧-୨୨ରୁ ୨୯କୋଟି ୯୯ଲକ୍ଷ ୮୩ହଜାର ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ମିଳିଥିଲା। ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନିର୍ମାଣ କରାଯାଇଥିଲା। ଏଷ୍ଟିମେଟ୍‌ ମୁତାବକ, ସାଇଟ୍‌ କ୍ଲିୟରାନ୍‌ସ ଓ ଡିସ୍‌ମେଟାଲିଂ ପାଇଁ ୨କୋଟି, ମୁଖ୍ୟ ରାସ୍ତା ପାଇଁ ୪କୋଟି ୯୧ଲକ୍ଷ ୫୬ହଜାର ଟଙ୍କା, ଟ୍ରାଫିକ୍‌ ସାଇନେଜ୍‌ ପାଇଁ ୬୯ଲକ୍ଷ ୧୮ହଜାର ଟଙ୍କା। ସମୁଦାୟ ରାସ୍ତା ପାଇଁ ୫କୋଟି ୬୨ଲକ୍ଷ ୭୫ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ସେହିଭଳି ସିଡି (କଂକ୍ରିଟ୍‌ ଡେନ୍‌ସିଟି) ପାଇଁ ୨୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ବକ୍ସ ସେଲ୍‌ ୧୨ଟି କଲଭର୍ଟ କ୍ରମାନ୍ବୟରେ ନିର୍ମାଣ ହୋଇଥିଲା। ଏଥିରେ ମୋଟ ସିଡି ୱାର୍କ ଓ ରାସ୍ତା ପାଇଁ ୨୬କୋଟି ୧୩ଲକ୍ଷ ୮୮ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା‌। 

ସେହିଭଳି ଯାଜପୁରର ନରସିଂହ ଚୌଧୁରୀ ଯୁକ୍ତ ୨ ମହାବିଦ୍ୟାଳୟ ପାଇଁ ୨୫କୋଟି ଟଙ୍କା ବ୍ୟୟରେ ନୂତନ କୋଠା ଯାଜପୁର ପୌରପାଳିକାର ୱାର୍ଡ ନମ୍ବର ୧୬ର ଅଲିବାଗ ଗାଁରେ ନିର୍ମାଣ ହୋଇଥିଲା। ‌ଏହି ପ୍ରକଳ୍ପ ମଧ୍ୟ ଅନାଥ ହୋଇପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହା ଏକ ଅନ୍ଧାରି ପ୍ରକଳ୍ପ ଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଗୋଚରରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିଲା। ଅନ୍ୟ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ ଏଠାରେ ଖର୍ଚ୍ଚ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ଏଭଳି ପ୍ରକଳ୍ପ ସଂପର୍କରେ ଜାଣିନଥିବା ଓ ସେଭଳି କିଛି ପ୍ରସ୍ତାବ ନଥିବା କହିବା ପରେ ସରକାରଙ୍କ ୨୫ କୋଟି ଟଙ୍କା ବେକାର ‌ହୋଇପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.