ARTICLE AD BOX
ନୂଆଦିଲ୍ଲୀ:ଦିଲ୍ଲୀର କନ୍ନଟ୍ ପ୍ଲେସସ୍ଥିତ ରିଗାଲ୍ ସିନେମା ନିକଟରେ ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ହୋଇଥିବା ହିଂସା, ପଥରମାଡ଼ ଓ ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ଏକ ମାମଲା ରୁଜୁ କରିଛି। ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ଏବଂ କେତେକ କୃଷକ ସଂଗଠନ ପକ୍ଷରୁ ସୋମବାର ଆୟୋଜିତ ଏହି ଶୋଭାଯାତ୍ରା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା, ଯେଉଁଥିରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥରମାଡ଼ କରିବା ସହ ଅନେକ ପୁଲିସ ଗାଡ଼ି ଭାଙ୍ଗିରୁଜି ନଷ୍ଟ କରିଦେଇଥିଲେ। ଏହି ସଂଘର୍ଷରେ ୧୧୮ ଜଣରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍, ଭିଡିଓ ରେକର୍ଡିଂ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି।
କଡ଼ା ଯାଞ୍ଚ ଓ ପାଟ୍ରୋଲିଂ
ହିଂସାକାଣ୍ଡ ପରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସାରା ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀ, ସେଣ୍ଟ୍ରାଲ, ନର୍ଥ, ସାଉଥ୍ ଏବଂ ସାଉଥ୍-ଇଷ୍ଟ ଭଳି ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ବହୁସଂଖ୍ୟକ ଦିଲ୍ଲୀ ପୁଲିସ ଓ ପାରାମିଲିଟାରୀ ବାହିନୀ ମୁତୟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ଥାନ, ଛକ ଓ ସୀମାନ୍ତରେ ବହୁସ୍ତରୀୟ ବ୍ୟାରିକେଡ୍ ଲଗାଇ ଗାଡ଼ିଗୁଡ଼ିକର କଡ଼ା ଯାଞ୍ଚ ଓ ପାଟ୍ରୋଲିଂ କରାଯାଉଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୋସିଆଲ ମିଡିଆରେ କୌଣସି ଗୁଜବ ସୃଷ୍ଟିନକରିବାକୁ ପୁଲିସ ସାଧାରଣ ନାଗରିକଙ୍କୁ ନିବେଦନ କରିଛି।

1 month ago
11


