ARTICLE AD BOX
ଭୁବନେଶ୍ୱର: ଭାଇ-ଭଉଣୀଙ୍କ ଅତୁଟ ପ୍ରେମ, ବିଶ୍ୱାସ ଓ ପରସ୍ପର ପ୍ରତି ସୁରକ୍ଷାର ପ୍ରତିଶୃତିର ପବିତ୍ର ପର୍ବ ହେଉଛି ରାଖୀ ପୂର୍ଣ୍ଣିମା। ୨୦୨୬ରେ ଏହି ପର୍ବକୁ ନେଇ ତାରିଖ ସମ୍ପର୍କରେ କିଛି ଦ୍ୱନ୍ଦ୍ୱ ଥିଲେ ମଧ୍ୟ ପଞ୍ଜିକା ଅନୁସାରେ ରାଖୀ ପୂର୍ଣ୍ଣିମା ଶୁକ୍ରବାର, ୨୮ ଅଗଷ୍ଟ ୨୦୨୬ରେ ପାଳନ କରାଯିବ। ଏଥରର ବିଶେଷତ୍ୱ ହେଲା, ରାଖୀ ପୂର୍ଣ୍ଣିମା ସମୟରେ ଭଦ୍ରାର ବାଧା ରହିବ ନାହିଁ, ଯାହାକୁ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ମନେ କରାଯାଉଛି।
ଜାଣନ୍ତୁ ସଠିକ୍ ତାରିଖ, ଶୁଭ ମୁହୂର୍ତ୍ତ ଓ ରାଖୀ ବାନ୍ଧିବାର ମନ୍ତ୍ର
ପଞ୍ଜିକା ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ତିଥି ୨୭ ଅଗଷ୍ଟ ସକାଳ ୮ଟା ୩୧ ମିନିଟରୁ ଆରମ୍ଭ ହୋଇ ୨୮ ଅଗଷ୍ଟ ସକାଳ ୯ଟା ୧୮ ମିନିଟ ପର୍ଯ୍ୟନ୍ତ ରହିବ। ୨୭ ଅଗଷ୍ଟରେ ସକାଳ ୮ଟା ୩୧ରୁ ରାତି ୮ଟା ୫୪ ମିନିଟ ପର୍ଯ୍ୟନ୍ତ ଭଦ୍ରା ରହିବ। ତେବେ ରାତି ୮ଟା ୫୪ରେ ଭଦ୍ରା ଶେଷ ହୋଇଯିବ। ଫଳରେ ୨୮ ଅଗଷ୍ଟରେ ରକ୍ଷାବନ୍ଧନ ସମୟରେ ଭଦ୍ରାର କୌଣସି ବାଧା ରହିବ ନାହିଁ। ରାଖୀ ବାନ୍ଧିବା ପାଇଁ ସବୁଠୁ ଶୁଭ ସମୟ ସକାଳ ୫ଟା ୫୭ ମିନିଟରୁ ୯ଟା ୪୮ ମିନିଟ ପର୍ଯ୍ୟନ୍ତ ରହିବ। କୌଣସି କାରଣରୁ ଏହି ସମୟରେ ରାଖୀ ବାନ୍ଧିବା ସମ୍ଭବ ନହେଲେ, ଅଭିଜିତ ମୁହୂର୍ତ୍ତ ସକାଳ ୧୧ଟା ୫୬ରୁ ଦିନ ୧୨ଟା ୪୮ ମିନିଟ ପର୍ଯ୍ୟନ୍ତ ମଧ୍ୟ ଶୁଭ ବୋଲି କୁହାଯାଇଛି। ତେଣୁ ଏଥର ଭାଇ-ଭଉଣୀଙ୍କୁ ଭଦ୍ରା ଶେଷ ହେବାକୁ ଅପେକ୍ଷା କରିବାର ଚିନ୍ତା କରିବାକୁ ପଡ଼ିବ ନାହିଁ।
ପାରମ୍ପରାକୁ ଦୃଷ୍ଟିରେ ରଖି ରାଖୀ ବାନ୍ଧିବା ସମୟରେ ଉଚ୍ଚାରଣ କରାଯାଇଥାଏ ଏହି ରକ୍ଷାସୂତ୍ର ମନ୍ତ୍ର...
"ଯେନ ବଦ୍ଧୋ ବଲିରାଜା ଦାନବେନ୍ଦ୍ରୋ ମହାବଲଃ।
ତେନ ତ୍ୱାମପି ବଧ୍ନାମି ରକ୍ଷେ ମା ଚଳ ମା ଚଳ॥"
ଏହାର ଅର୍ଥ ହେଉଛି, ଯେଉଁ ରକ୍ଷାସୂତ୍ରରେ ପରାକ୍ରମୀ ରାଜା ବଳି ବନ୍ଧା ହୋଇଥିଲେ, ସେହି ପବିତ୍ର ସୂତ୍ର ତୁମ ହାତରେ ବାନ୍ଧୁଛି; ହେ ରକ୍ଷାସୂତ୍ର, ତୁମେ ସଦା ସାଥୀରେ ରହି ସୁରକ୍ଷା ପ୍ରଦାନ କର। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି “ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ର ଜପ କରିବାର ମଧ୍ୟ ପରମ୍ପରା ରହିଛି। ରକ୍ଷାବନ୍ଧନ ଦିନ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ପୂଜା ଥାଳିରେ ଚନ୍ଦନ, ସିନ୍ଦୁର, ଅକ୍ଷତ, ଫୁଲ, ଦୀପ, ଧୂପ, ମିଠା ଓ ରାଖୀ ରଖନ୍ତୁ। ପ୍ରଥମେ ଭଗବାନଙ୍କ ପୂଜା କରି ଭାଇଙ୍କ କପାଳରେ ତିଳକ ଓ ଅକ୍ଷତ ଲଗାଇ ଆଳତି କରନ୍ତୁ। ପରେ ରକ୍ଷାସୂତ୍ର ମନ୍ତ୍ର ଉଚ୍ଚାରଣ କରି ରାଖୀ ବାନ୍ଧନ୍ତୁ।
ପରିବାରର ସୁଖ ଓ ଶାନ୍ତି ପାଇଁ ଏହି ମଙ୍ଗଳ ଶ୍ଲୋକ ମଧ୍ୟ ପାଠ କରାଯାଇପାରେ ଏହି ମନ୍ତ୍ର...
“ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିଦ୍ ଦୁଃଖଭାଗ୍ ଭବେତ୍॥”
ରାଖୀ କେବଳ ଏକ ସୂତା ଖଣ୍ଡ ନୁହେଁ, ଏହା ଭାଇ-ଭଉଣୀଙ୍କ ଭଲପାଇବା, ସମ୍ମାନ ଓ ଆଜୀବନ ସାଥୀ ହୋଇ ରହିବାକୁ ନେଇ ଥିବା ଭାବନାର ପ୍ରତୀକ। ଭଉଣୀ ଭାଇର ସୁସ୍ଥତା, ସୁଖ ଓ ମଙ୍ଗଳ କାମନା କରୁଥିବାବେଳେ ଭାଇ ମଧ୍ୟ ଭଉଣୀ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଦାୟିତ୍ୱର ସଂକଳ୍ପ ନେଇଥାଏ। ତେଣୁ ୨୮ ଅଗଷ୍ଟ ୨୦୨୬ରେ ଭଦ୍ରାମୁକ୍ତ ପୂର୍ଣ୍ଣିମାରେ ପାଳିତ ହେବାକୁ ଥିବା ରକ୍ଷାବନ୍ଧନକୁ କେବଳ ଏକ ପର୍ବ ନୁହେଁ, ବରଂ ସମ୍ପର୍କରେ ପ୍ରେମ ଓ ବିଶ୍ୱାସକୁ ଆହୁରି ମଜବୁତ କରିବାର ଅବସର ଭାବେ ପାଳନ କରନ୍ତୁ।
Protein-rich biscuits: ପ୍ଲାଷ୍ଟିକ୍ ଆବର୍ଜନାରୁ ପ୍ରୋଟିନ୍ଯୁକ୍ତ ବିସ୍କୁଟ୍

1 day ago
4


