ARTICLE AD BOX
ରାଉରକେଲା (ମଳୟ ରଞ୍ଜନ ସାହୁ): ଖଣିରୁ କୋଟି କୋଟି ଟଙ୍କାର ରୟାଲିଟି, ଜିଲ୍ଲାଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ରାସ୍ତା ନିର୍ମାଣ ଓ ମରାମତି ପାଇଁ ୧୦୫୨ କୋଟିରୁ ଅଧିକ ଟଙ୍କା ବ୍ୟୟ। ତଥାପି ଗାଁକୁ ଗାଁ ଯୋଡ଼ୁଥିବା ରାସ୍ତାର ଦୁର୍ଦ୍ଦଶା ଯେମିତିକୁ ସେମିତି। କେଉଁଠି ରାସ୍ତାରୁ ମାଟି ଉଠିଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ। ଅଧଘଣ୍ଟାରେ ଅତିକ୍ରମ କରିବାକୁ ଥିବା ରାସ୍ତା ପାଇଁ ଲାଗୁଛି ୨ରୁ ୩ ଘଣ୍ଟା। ଖଣିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ରାସ୍ତାର ଏଭଳି ଦୟନୀୟ ଚିତ୍ର ବିକାଶର ଦାବି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଓ ମରାମତି ନାଁରେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥା ମିଳିମିଶି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଉଠିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ହୋଇପଡ଼ିଛି।
Health: ରାମ୍କି ପାଇଁ ଦଲକିରେ କିଡ୍ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ
ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ର ଗ୍ରାମାଞ୍ଚଳରେ ରାସ୍ତାର ଦୁରବସ୍ଥା ଏବେ ବି ଲାଗି ରହିଛି। ଅନେକ ପଞ୍ଚାୟତର ଗାଁ ରାସ୍ତାରେ ପିଚୁ କିମ୍ବା କଂକ୍ରିଟ୍ ତ ଦୂରର କଥା, ମୋରମ୍ ମଧ୍ୟ ପଡ଼ିନାହିଁ। ଦୀର୍ଘଦିନ ଧରି ମରାମତି ହେଉ ନ ଥିବାରୁ ରାସ୍ତାଗୁଡ଼ିକ ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି। ଏହାର ସିଧାସଳଖ ପ୍ରଭାବ ଗ୍ରାମାଞ୍ଚଳର ଲୋକଙ୍କ ଦୈନନ୍ଦିନ ଯାତାୟାତ ଉପରେ ପଡ଼ୁଛି। ନୂଆଗାଁ ବ୍ଲକ୍ର ସୋରଡ଼ାରୁ ଗୀର୍ଜାଟୋଲି ଏବଂ କୁଟିଦାରୁ ଗଞ୍ଜୁ ରାସ୍ତାର ସ୍ଥିତି ସଙ୍ଗିନ। ବିଶ୍ରା ବ୍ଲକ୍ର ମର୍ସିକୁଦର, ବମ୍ବୁଆ ଓ ଉଡୁସୁ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। କୋଇଡ଼ା ବ୍ଲକ୍ର ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡିହି, ମାଲଦା ପଞ୍ଚାୟତର ଗଣୁଆ, ଦେଓଝର ଓ କଳମଙ୍ଗ ଗାଁ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଭଲ ରାସ୍ତାଟିଏ ଦେଖିପାରିନାହାନ୍ତି। ତେହେରେଇରୁ ଗଣୁଆ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବର୍ଷ ବର୍ଷ ଧରି ମରଣଯନ୍ତା ପାଲଟିଛି। ସେହିପରି ଗୁରୁଣ୍ଡିଆ ବ୍ଲକ୍ର ସୋଲ ପଞ୍ଚାୟତ ଅନ୍ତର୍ଗତ କଣ୍ଟାମୁଣ୍ଡା ଏବଂ ଗୁରୁଣ୍ଡିଆରୁ ତରମାରେନ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହା କେବଳ ଗୋଟିଏ କି ଦୁଇଟି ବ୍ଲକ୍ର ସମସ୍ୟା ନୁହେଁ; ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।
DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ
ରାସ୍ତା ନିର୍ମାଣ ଓ ମରାମତି ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ବିପୁଳ ଅର୍ଥ ଦିଆଯାଇଛି। ତଥ୍ୟ ଅନୁଯାୟୀ, ଆର୍ଡବ୍ଲ୍ୟୁଡି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩୭୪ କୋଟି ୪୩ ଲକ୍ଷ ୩୩ ହଜାର ୬୧୩ ଟଙ୍କା ଏବଂ ସୁନ୍ଦରଗଡ଼ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୯୭ କୋଟି ୭୧ ଲକ୍ଷ ୩ ହଜାର ୨୪୯ ଟଙ୍କା ଦିଆଯାଇଛି।ରାଉରକେଲା ରୋଡ୍ ଆଣ୍ଡ ବିଲ୍ଡିଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩୬୧ କୋଟି ୪୨ ଲକ୍ଷ ୨୮ ହଜାର ୫୨୨ ଟଙ୍କା ଏବଂ ସୁନ୍ଦରଗଡ଼ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୧୬ କୋଟି ୯୯ ଲକ୍ଷ ୬୭ ହଜାର ୧୨୧ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଇଞ୍ଜିନିୟର ପ୍ରୋଜେକ୍ଟ ଇଣ୍ଡିଆ (ଇପିଆଇ)ର ସିଜିଏମ୍ଙ୍କୁ ୧୪୮ କୋଟି ୩୬ ଲକ୍ଷ ୨୧ ହଜାର ୬୭୨ ଟଙ୍କା ଏବଂ ନ୍ୟାସ୍ନାଲ ପ୍ରୋଜେକ୍ଟ କନଷ୍ଟ୍ରକ୍ସନ କର୍ପୋରେସନ୍ ଲିମିଟେଡ୍ (ଏନ୍ପିସିସି)କୁ ୫୦ କୋଟି ୭୭ ଲକ୍ଷ ୮୨ ହଜାର ୮୮୧ ଟଙ୍କା ଦିଆଯାଇଛି। ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ୫୫ ଲକ୍ଷ ୬୦ ହଜାର ଟଙ୍କା, ନୂଆଗାଁ ବିଡିଓଙ୍କୁ ୩୫ ଲକ୍ଷ ଟଙ୍କା, କୁଆରମୁଣ୍ଡା ବିଡିଓଙ୍କୁ ୬୫ ଲକ୍ଷ ୩ ହଜାର ୧୧୬ ଟଙ୍କା ଏବଂ କୋଇଡ଼ା ବିଡିଓଙ୍କୁ ୮୦ ଲକ୍ଷ ୭୪ ହଜାର ୫୮୦ ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥ ପୂର୍ବ ସରକାରଙ୍କ ସମୟରେ ରାସ୍ତା ନିର୍ମାଣ ଓ ମରାମତି ବାବଦରେ ଖର୍ଚ୍ଚ ହୋଇଥିବା ଉଲ୍ଲେଖ ରହିଛି। ଏବେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ବ୍ୟୟ ହୋଇଥିବା ଅର୍ଥର ହିସାବ ଓ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ନେଇ ତଦନ୍ତ ହେଉନଥିବା ଅଭିଯୋଗ ହୋଇଛି।

1 day ago
4


