ARTICLE AD BOX
ନୂଆଦିଲ୍ଲୀ: ଚିନି ଦରରେ ହୋଇଥିବା ଅହେତୁକ ବୃଦ୍ଧିର କାରଣ ଇଥାନଲ ନୁହେଁ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସଫେଇ ଦିଆଯାଇଛି। ଇଥାନଲ ଉତ୍ପାଦନ ପାଇଁ ଚିନି ଯୋଗାଇ ଦିଆଯାଉଥିବାରୁ ଚିନି ଦର ବଢ଼ୁଥିବା ନେଇ ଯେଉଁ ଅଭିଯୋଗ କରାଯାଉଛି ତାହା ଠିକ୍ ନୁହେଁ। ଗତ କିଛି ବର୍ଷ ମଧ୍ୟରେ ଇଥାନଲ ପାଇଁ ଯୋଗାଇ ଦିଆଯାଉଥିବା ଚିନି ପରିମାଣ ପ୍ରକୃତରେ ହ୍ରାସ ପାଇଛି। ୨୦୨୨-୨୩ରେ ଏହି ହାର ୧୨ ପ୍ରତିଶତ ରହିଥିଲା ଯାହା ୨୦୨୫-୨୬ରେ ୯ ପ୍ରତିଶତକୁ ଖସିଆସିଛି। ଦେଶରେ ଉତ୍ପାଦନ ହେଉଥିବା ତିନି ଚତୁର୍ଥାଂଶ ଇଥାନଲ ମକା ଭଳି ଶସ୍ୟରୁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରଣାଳୟ କହିଛି।
ସମ୍ପ୍ରତି ଚିନି ଦରରେ ହେଉଥିବା ବୃଦ୍ଧି ପଛର କାରଣଗୁଡ଼ିକ ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଯେ ଉତ୍ପାଦନ ଆଶାଠାରୁ କମ୍ ରହିବା, ଉତ୍ସବ ଋତୁ ପାଇଁ ଚାହିଦାରେ ବୃଦ୍ଧି, ଜଳବାୟୁ ଜନିତ ଫସଲ କ୍ଷତି, ବିଶ୍ବବ୍ୟାପୀ ଚିନି ଯୋଗାଣରେ ହ୍ରାସ ଏବଂ ମହଜୁଦକାରୀଙ୍କ ପାଇଁ ଚିନି ଦର ବଢ଼ୁଛି। ଚଳିତ ଋତୁରେ ଚିନି ଉତ୍ପାଦନ ୩୦୬ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି ଯାହା ପୂର୍ବର ଆକଳନ ୩୪୩ ଲକ୍ଷ ଟନ୍ ତୁଳନାରେ ଯଥେଷ୍ଟ କମ୍। ଆଖୁରେ ରୋଗ ପୋକ ଲାଗିବା ଓ ଅତ୍ୟଧିକ ବର୍ଷାରେ ଗଛ ବୁଡ଼ିଯିବାରୁ ଫସଲ ନଷ୍ଟ ହୋଇଛି। ଏଭଳି ସ୍ଥିତି ସତ୍ତ୍ବେ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତର ଘରୋଇ ଚାହିଦା ପୂରଣ କରିବାକୁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ରହିଥିବା ମନ୍ତ୍ରଣାଳୟ ଆଶ୍ବାସନା ଦେଇଛି। ଗତ ଦୁଇ ମାସ ମଧ୍ୟରେ ବିଶ୍ବସ୍ତରରେ ଚିିନି ଦର ଟନ୍ ପିଛା ୪୭୪ ଡଲାରରୁ ବୃଦ୍ଧି ପାଇ ୫୫୨ ଟନ୍ ହୋଇଛି। ଚିନି ସ୍ଥିତିର ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅକ୍ଟୋବର ୧୫ରୁ ଆଖୁ ପେଡ଼ା ଆରମ୍ଭ କରିବାକୁ ଚିନି କଳ ଓ ରାଜ୍ୟଗୁଡ଼ିକୁ କୁହାଯାଇଛି।

6 days ago
3


