ARTICLE AD BOX
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଦ୍ବାରା ଏକତରଫା ନିଷ୍ପତ୍ତି ଅଭିଯୋଗକୁ ଆଜି ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରି ନିର୍ବାଚନ କମିସନ କହିଛନ୍ତି ଯେ ଏସ୍ଆଇଆର୍ (ସ୍ବତନ୍ତ୍ର ସଘନ ସଂଶୋଧନ) ସଂକ୍ରାନ୍ତରେ ଦିଆଯାଇଥିବା ସମସ୍ତ ୩ଟି ଯାକ ଆଦେଶ ସର୍ବସମ୍ମତିକ୍ରମେ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ଦୁଇ କମିସନର ମିଳିତ ଭାବେ ଏସବୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନଙ୍କ କାର୍ଯ୍ୟ ଏବଂ ଏସ୍ଆଇଆର୍ ସଂକ୍ରାନ୍ତ ଫର୍ମରେ କରାଯାଇଥିବା ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ରାକେଶ କୁମାର ସିଂହଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଜବାବରେ କମିସନ ସୁପ୍ରିମକୋର୍ଟରେ ୧୫ ସୂତ୍ରୀର ଜାବାବୀ ସତ୍ୟପାଠ ଦାଖଲ କରିଛନ୍ତି। ସେଥିରେ କମିସନ କହିଛନ୍ତି, କେବଳ ଗୋଟିଏ ନ୍ୟୁଜ୍ ରିପୋର୍ଟକୁ ଆଧାର କରି ସମସ୍ତ ଅଭିଯୋଗ କରାଯାଇଛି।
AIIMS: ଡାକ୍ତର ଅଭାବ ସମସ୍ୟାରୁ ମୁକୁଳିପାରୁନି ଏମ୍ସ: ୧୦ ଟଙ୍କାର ଓପିଡି ଟିକଟ, ଗଣୁଛନ୍ତି ୪ ହଜାର!
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୧୫ ସୂତ୍ରୀ ବିଶିଷ୍ଟ ଜବାବୀ ସତ୍ୟପାଠକୁ ସିଇସିଙ୍କ ସମେତ ଉଭୟ ନିର୍ବାଚନ କମିସନରଙ୍କ ଦ୍ବାରା ସର୍ବସମ୍ମତିକ୍ରମେ ଅନୁମୋଦନ ଦିଆଯାଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ ୨୦୨୫ ଜୁନ୍, ୨୦୨୫ ଅକ୍ଟୋବର ଏବଂ ୨୦୨୬ ମେ’ରେ ଦିଆଯାଇଥିବା ଏସ୍ଆଇଆର୍ ସଂକ୍ରାନ୍ତ ନିର୍ଦ୍ଦେଶ ସର୍ବସମ୍ମତିକ୍ରମେ ନିଆଯାଇଥିଲା। ଫାଇଲ୍ ପଠାଯିବା ସମୟରେ ସିଇସି ଏବଂ ଅନ୍ୟ ୨ଜଣ ଇସିଙ୍କ ଦ୍ବାରା ଦିଆଯାଇଥିବା କିଛି ପରାମର୍ଶ କିମ୍ବା କରାଯାଇଥିବା କିଛି ପ୍ରଶ୍ନ କିମ୍ବା କିଛି ନୋଟ୍ କମିସନ୍ଙ୍କ ନିଷ୍ପତ୍ତି ନୁହେଁ। ଫାଇଲ୍ ପ୍ରଥମେ ଜଣେ ଇସି, ତା’ପରେ ଅନ୍ୟ ଜଣେ ଇସି ଏବଂ ପରେ ସିଇସିଙ୍କ ନିକଟକୁ ପଠାଯାଏ।
Tribal worker: ରାମ୍କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ
ଜରୁରୀ କ୍ଷେତ୍ରରେ ଇଲେକଟ୍ରୋନିକ୍ସ ମାଧ୍ୟମରେ ମଞ୍ଜୁରି ନିଆଯାଇଥାଏ। ପରେ ଫାଇଲ୍ର ରେକର୍ଡ ରଖାଯାଇଥାଏ। ନିର୍ଦ୍ଧାରିତ କ୍ଷମତା ନଥାଇ କୌଣସି ଅଧିକାରୀ ନିର୍ଦ୍ଦେଶ ଜାରି କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି। ଡେପୁଟେସନ୍ରେ ଥିବା ଅତିରିକ୍ତ ସଚିବଙ୍କ ଦ୍ବାରା ଜୁଲାଇ ୨୮ ତାରିଖ କାର୍ଯ୍ୟ ଆବଣ୍ଟନ ଆଦେଶ ଜାରି ହୋଇଥିଲା। ଉଭୟ ନିର୍ବାଚନ କମିସନର ତା’ ପରଦିନ କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଥିଲେ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଜୁଲାଇ ୩୦ରେ ନିର୍ବାଚନ କମିସନଙ୍କ ମିଳିତ ନିର୍ଦ୍ଦେଶନାମା ଜାରି ପରେ ପୂର୍ବ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇନଥିଲା। ଫର୍ମ ୬ ସଂଶୋଧନ କରାଯାଇନାହିଁ ବୋଲି କୁହାଯାଇଛି। କେବଳ କେନ୍ଦ୍ର ସରକାର ଏହାକୁ ସଂଶୋଧନ କରିବା ନିୟମ ରହିଛି। ନିର୍ବାଚନ କମିସନଙ୍କ ଏସ୍ଆଇଆର୍ ଘୋଷଣାପତ୍ର ଏକ ପୃଥକ୍ ଦସ୍ତାବିଜ୍ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସୋମବାର ଉପନିର୍ବାଚନ କମିସନର ଭାନୁ ପ୍ରକାଶ ୟେତୁରୁଙ୍କ ଦ୍ବାରା ଏହି ସତ୍ୟପାଠ ଦାଖଲ କରାଯାଇଛି।

16 hours ago
4


