Tata Steel main gate: ଟାଟା ଷ୍ଟିଲ୍‌ ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ, ରାସ୍ତାରୋକ

4 days ago 4
ARTICLE AD BOX

କଣ୍ଟାବଣିଆ: ଢେଙ୍କାନାଳଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ୍‌ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଏକ ଟ୍ରକ୍‌(ଓଡି ୨କ୍ୟୁ ୫୯୧୭) ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ଗଉଡ଼କାଟେଣୀ ଗାଁର ସୁଧାକର ଭୂତିଆ ଓରଫ୍‌ ପିଣ୍ଟୁ (୨୮)। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକ ଓ ଶ୍ରମିକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। 

ସୂଚନା ଅନୁଯାୟୀ, ଟାଟା ଷ୍ଟିଲ୍‌ କମ୍ପାନି ଅଧୀନରେ ଏକ ଠିକାସଂସ୍ଥାରେ କାମ କରୁଥିବା ସୁଧାକର ଭୂତିଆ ବୁଧବାର ରାତି ଡ୍ୟୁଟିରେ କମ୍ପାନିକୁ ଆସି କାମ ସରିବା ପରେ ସକାଳ ୬ଟାରେ ପ୍ଲାଣ୍ଟ ପରିସରରୁ ବାଇକ୍‌‌ରେ ବାହାରିଥିଲେ। ଏହି ସମୟରେ ଏକ ଟ୍ରକ୍‌ କମ୍ପାନି ମୁଖ୍ୟ ଫାଟକ ସମ୍ମୁଖରେ ତାଙ୍କ ବାଇକ୍‌(ଓଡି-୩୫-ଏ-୬୧୨୩)କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ।  ଚିକିତ୍ସା ପାଇଁ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇ ସାଥୀ ଶ୍ରମିକ, ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ସକାଳ ସାଢ଼େ ୬ଟାରୁ ୫୫ ନମ୍ବର ଜାତୀୟ ରାଜପଥ ସହ ଟାଟା ଷ୍ଟିଲ କମ୍ପାନିର ମୁଖ୍ୟ ଫାଟକକୁ ବନ୍ଦ କରି କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ଖବରପାଇ କଣ୍ଟାବଣିଆ ଥାନା ଆଇଆଇସି ନିରୋଦ କୁମାର ମଲ୍ଲିକ ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଠାରେ ସ୍ଥାୟୀ ଟ୍ରାଫିକ ପୋଷ୍ଟ ନିର୍ମାଣ କରି ଟ୍ରାଫିକ ପୁଲିସ ମୁତୟନ କରିବା ସହିତ ଖୁବ୍‌ଶୀଘ୍ର ଏହି ଫାଟକରେ ଏକ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରିବା ପାଇଁ  ସେମାନେ ଦାବି କରିଥିଲେ। ଜାତୀୟ ରାଜପଥ ୫୫ ଅବରୋଧ ଯୋଗୁଁ ଶହଶହ ଗାଡ଼ିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ରହିଥିଲା।

ଖବରପାଇ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର ସୁରେନ୍ଦ୍ର ମୁଦୁଲି, ଅତିରିକ୍ତ ଏସ୍‌ପି ରମେଶ ଦୋରା, ହିନ୍ଦୋଳ ଭାରପ୍ରାପ୍ତ ଏସ୍‌ଡିପିଓ ସୁଷମା ପ୍ରଧାନ, ମୋଟଙ୍ଗା ଥାନା ଆଇଆଇସି ଦୀପକ କୁମାର ଲେଙ୍କା, ବାଲମୀ ଥାନା ଆଇଆଇସି ଚାରୁଲତା ବେହେରା ପ୍ରମୁଖ  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟାରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା। ସେହିପରି ଟାଟା କମ୍ପାନି ମୁଖ୍ୟ  ଫାଟକକୁ ସାଢ଼େ ୭ ଘଣ୍ଟା ଧରି ବନ୍ଦ କରି ରଖିଥିଲେ। ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକ ଓ ଟାଟା ଷ୍ଟିଲ ଶ୍ରମିକ ସଭା (ଶ୍ରମିକ ୟୁନିୟନ)ର ସାଧାରଣ ସଂପାଦକ ପବିତ୍ର କୁମାର ବିଶ୍ୱାଳ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଠିକା ସଂସ୍ଥାର ମାନବ ସମ୍ବଳ ବିଭାଗର ଅଧିକାରୀ ବିଦ୍ୟାଧର ବେହେରା ଏକାଠି ହେଇ କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ। ଠିକାସଂସ୍ଥା ମୃତକଙ୍କ ପରିବାରକୁ ଶେଷକୃତ୍ୟ ପାଇଁ ନଗଦ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ତାଙ୍କ ପତ୍ନୀଙ୍କୁ ଏକକାଳୀନ ୭ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। କମ୍ପାନିର ନିୟମ ଅନୁସାରେ ୧୩ ଲକ୍ଷରୁ ଊର୍ଦ୍ଧ୍ବ  କ୍ଷତିପୂରଣ ରାଶି  ଠିକାସଂସ୍ଥାର ମାନବ ସମ୍ବଳ ବିଭାଗର ଅଧିକାରୀ ବିଦ୍ୟାଧର ବେହେରା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨ ସପ୍ତାହ ମଧ୍ୟରେ ଦୁଇଟି ଦୁର୍ଘଟଣା ଘଟି ୨ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହେଲାଣି। ଏଥିପାଇଁ ଢେଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.