Teacher: ଶିକ୍ଷକ: ଆଗାମୀ ଭାରତର ରୂପକାର

9 hours ago 3
ARTICLE AD BOX

ଶିକ୍ଷକ ଭାଗ୍ୟ ଓ ଭବିଷ୍ୟତର ରୂପକାର ଅଟନ୍ତି। ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭିତରେ ବିଦ୍ୟା, ଦକ୍ଷତା, ନୈତିକତା ଓ ପ୍ରେରଣା ସଞ୍ଚାର କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଦେଶବାସୀଙ୍କ ତରଫରୁ ଗୁରୁ ଦିବସ ଅବସରରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି।
ଏହା ସର୍ବଜନବିଦିତ ଯେ ଆମ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଇଚ୍ଛା ଥିଲା- ତାଙ୍କ ଜନ୍ମଦିନ ‘ଗୁରୁ ଦିବସ’ ଭାବେ ପାଳିତ ହେଉ। ସେ ଏକାଧାରେ ଥିଲେ ଜଣେ ପୃଥିବୀ ପ୍ରସିଦ୍ଧ ବିଦ୍ୱାନ୍‌, ଲେଖକ ଓ ରାଷ୍ଟ୍ରପୁରୁଷ। ତେବେ ଶିକ୍ଷକଙ୍କ ଭୂମିକା ତାଙ୍କ ପାଇଁ ଥିଲା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଜନପ୍ରିୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କୁ ଏକଦା ପଚରାଯାଇଥିଲା ଯେ ଲୋକେ ତାଙ୍କୁ ଜଣେ ବୈଜ୍ଞାନିକ ଭାବରେ ନା ରାଷ୍ଟ୍ରପତି ଭାବରେ ମନେରଖନ୍ତୁ ବୋଲି ସେ ଚାହାନ୍ତି। କଲାମଙ୍କ ଉତ୍ତର ଥିଲା, ସେ ଜଣେ ଶିକ୍ଷକ ରୂପେ ଲୋକସ୍ମୃତିରେ ରହିବାକୁ ଇଚ୍ଛା କରନ୍ତି।
ଶିକ୍ଷକ ଶ୍ରଦ୍ଧେୟ ହୁଅନ୍ତୁ ଏବଂ ଶିକ୍ଷାର୍ଥୀ ଶ୍ରଦ୍ଧାବାନ୍‌ ହୁଅନ୍ତୁ, ଏହା ଆମର ଆଦର୍ଶ ହୋଇ ରହିଆସିଛି। ଆମ ପୁରାତନ ଗ୍ରନ୍ଥାବଳୀରେ ଉଲ୍ଲେଖ ରହିଛି ଯେ ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କୁ ନିଜର ସନ୍ତାନତୁଲ୍ୟ ଭଲ ପାଆନ୍ତୁ, ଭେଦଭାବ ନ ରଖି ସେମାନଙ୍କୁ ସମଦୃଷ୍ଟିରେ ଦେଖନ୍ତୁ, ସେମାନଙ୍କ ଉପରେ କ୍ରୋଧ ମନୋଭାବ ନ ରଖନ୍ତୁ, ଧୈର୍ଯ୍ୟବାନ ହୁଅନ୍ତୁ, ବିଦ୍ୟାର୍ଥୀଙ୍କ ମଙ୍ଗଳ ପ୍ରତି ଦୃଷ୍ଟି ନିବଦ୍ଧ କରନ୍ତୁ ଏବଂ ସେମାନଙ୍କ ଆହରଣ ଶକ୍ତି ଅନୁଯାୟୀ ଶିକ୍ଷାଦାନ କରନ୍ତୁ। ଏପରି ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ପ୍ରାୟ ତିନି ହଜାର ବର୍ଷ ତଳେ ତୈତ୍ତିରୀୟ ଉପନିଷଦର ‘ଶିକ୍ଷାବଲ୍ଲୀ’ରେ ‘ଆଚାର୍ଯ୍ୟଦେବୋ ଭବ’ର ବାର୍ତ୍ତା ପ୍ରଦାନ କରାଯାଇଛି।

Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା

ସୌଭାଗ୍ୟବଶତଃ, ମୋ ବିଦ୍ୟାର୍ଥୀ ଜୀବନରେ ମୋତେ ଖୁବ୍ ସ୍ନେହୀ ଓ ଉତ୍ତମ ଶିକ୍ଷକମାନଙ୍କ ମାର୍ଗଦର୍ଶନ ମିଳିଥିଲା। ଆମ ଶିକ୍ଷକମାନେ ସ୍କୁଲ୍ ଛୁଟି ପରେ ବେଳେବେଳେ ନିଜ ଘରେ ଆମମାନଙ୍କୁ ପଢ଼ାଉଥିଲେ ଏବଂ ଆମର ଯତ୍ନ ମଧ୍ୟ ନେଉଥିଲେ। ସପ୍ତମ ଶ୍ରେଣୀ ପରେ ନିଜ ଗାଁ ବାହାରକୁ ଯାଇ ପାଠ ପଢ଼ିବାରେ ମୁଁ ଥିଲି ପ୍ରଥମ ଛାତ୍ରୀ। ପାଠପଢ଼ାର ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରରେ ମଧ୍ୟ ମୋତେ ଶିକ୍ଷକମାନଙ୍କଠାରୁ ବିପୁଳ ସ୍ନେହ ଓ ମାର୍ଗଦର୍ଶନ ମିଳିଥିଲା। ମୁଁ ଏଠାରେ ବିନମ୍ର ସହକାରେ ମୋ ଶିକ୍ଷକମାନଙ୍କ କଥା ଏଥିପାଇଁ ଉଲ୍ଲେଖ କରୁଛି କି ସ୍ନେହୀ ଓ ଉତ୍ସର୍ଗୀକୃତ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କ ମଧ୍ୟରେ ସବୁବେଳେ ଅସରନ୍ତି ସାମର୍ଥ୍ୟ ଓ ପ୍ରେରଣା ସଞ୍ଚାର କରିଥା’ନ୍ତି। ଏଥିରୁ ଶକ୍ତି ଆହରଣ କରି ବିଦ୍ୟାର୍ଥୀମାନଙ୍କ ଭିତରେ ଯେ କୌଣସି ଆହ୍ୱାନର ସମ୍ମୁଖୀନ ହେବା ଏବଂ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଉତ୍ସାହ ଅବ୍ୟାହତ ରହିଥାଏ। ମୋ ମତରେ, ଶିକ୍ଷକମାନେ ପାଠ୍ୟକ୍ରମ ଅନୁସାରେ ତ ପଢ଼ାନ୍ତି, ତତ୍ ସଙ୍ଗେସଙ୍ଗେ ବିଦ୍ୟାର୍ଥୀମାନଙ୍କୁ ନିଜର ଆଚାରବିଚାର ମାଧ୍ୟମରେ ବଞ୍ଚିବାର କଳା ବି ଶିଖାଇଥା’ନ୍ତି। ଏଣୁ ଶିକ୍ଷକ ବିଦ୍ୟାର୍ଥୀମାନଙ୍କର କେବଳ ମାର୍ଗଦର୍ଶକ ନୁହନ୍ତି, ସେମାନଙ୍କର ଶୁଭଚିନ୍ତକ, ମିତ୍ର ଓ ସହଯାତ୍ରୀ ମଧ୍ୟ ଅଟନ୍ତି।
ଜଣେ ଶ୍ରେଷ୍ଠ ଶିକ୍ଷକଙ୍କ ବିଶେଷତ୍ବ ସମ୍ପର୍କରେ ଆମ ସଂସ୍କୃତି ଓ ପରମ୍ପରାରେ ପ୍ରାଚୀନ କାଳରୁ ପ୍ରଚଳିତ ବିଚାର ଆଜି ବି ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ମନେହୁଏ। କେତେ ଶତାବ୍ଦୀ ପୂର୍ବେ ମହାକବି କାଳିଦାସ ସ୍ବୀୟ ନାଟକ ‘ମାଳବିକାଗ୍ନିମିତ୍ରମ୍’ରେ କହିଛନ୍ତି, ଯେଉଁ ଅଧ୍ୟାପକ ବିପୁଳ ଜ୍ଞାନର ଅଧିକାରୀ ଏବଂ ନିଜର ଜ୍ଞାନକୁ ବୋଧଗମ୍ୟ କରିବାକୁ ସମର୍ଥ, ସେ ହିଁ ଉତ୍ତମ ଶିକ୍ଷକ ପଦବାଚ୍ୟ।
ସଂସ୍କୃତର ଏକ ଲୋକପ୍ରିୟ ପ୍ରବାଦ ଅନୁସାରେ: ‘ସର୍ବତ୍ର ବିଜୟମ୍ ଇଚ୍ଛେତ୍ ଶିଷ୍ୟାତ୍ ଇଚ୍ଛେତ୍ ପରାଜୟମ୍’। ଏହାର ମର୍ମାର୍ଥ ହେଉଛି, ସମସ୍ତଙ୍କ ଠାରୁ ବିଜୟ କାମନା କରିବା ଉଚିତ କିନ୍ତୁ ଶିଷ୍ୟ ଠାରୁ ପରାଜୟ ଲାଭର ଇଚ୍ଛା ରଖିବା ଉଚିତ। ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ବାଧୀନ ଚିନ୍ତାକୁ ପ୍ରୋତ୍ସାହନ ଦେବା, ଜିଜ୍ଞାସା ଉଦ୍ରେକ କରିବା, ପ୍ରଶ୍ନ ପଚାରିବାର ପ୍ରବୃତ୍ତିକୁ ପ୍ରୋତ୍ସାହନ ଦେବା, ତର୍କ-ଶକ୍ତିର ବିକାଶ ଘଟାଇବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱ ଗଠନରେ ସହାୟକ ହେବା- ଏସବୁ ହେଉଛି ଶିକ୍ଷାଦାନର ଗୋଟେ ଗୋଟେ ପ୍ରେରଣାଦାୟୀ ଓ ପ୍ରଭାବଶାଳୀ ଦିଗ। ଏତାଦୃଶ ପ୍ରେରଣାପ୍ରଦ ଶିକ୍ଷାରୁ ସଫଳ ଉଦ୍‌ଯୋଗୀ, ପ୍ରତିଭାବାନ ବୈଜ୍ଞାନିକ, ସୃଜନଶୀଳ କଳାକାର ଓ ସମାଧାନ ଅନ୍ୱେଷୀ ନାଗରିକ ପିଢ଼ିର ନିର୍ମାଣ ସମ୍ଭବ।

ଶିକ୍ଷକମାନଙ୍କର ମନୋବୃତ୍ତି, ଆଚରଣ ଓ ବ୍ୟବହାର ଏପରି ହେବା ଉଚିତ ଯଦ୍ଦ୍ବାରା ପିଲାମାନଙ୍କ ମନରେ ଭୟ ବା ଆଶଙ୍କା ନ ଉପୁଜିବ, ସେମାନଙ୍କ ମନୋବଳ ନ ଭାଙ୍ଗିବ ଏବଂ ସେମାନଙ୍କ ମଧ୍ୟରେ ହୀନମନ୍ୟତା ଦେଖା ନଦେବ। ବିଦ୍ୟାର୍ଥୀମାନେ ଯେପରି ବ୍ୟକ୍ତିତ୍ୱ ବିକାଶର ଶିଖର ଛୁଇଁବେ, ଏହା ସୁନିଶ୍ଚିତ କରିବାର ଗୁରୁଦାୟିତ୍ୱ ଉତ୍ତମ ଶିକ୍ଷକମାନଙ୍କଠାରେ ନ୍ୟସ୍ତ ରହିଛି।

ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ, ଏହା ମଧ୍ୟ ଏକ ବ୍ରତ। ଏହା କେବଳ ବେଉସା ବା ଚାକିରି ନୁହେଁ, ଏହା ହେଉଛି ମାନବିକତା ନିର୍ମାଣ ଦିଗରେ ଏକ ମହତ କାର୍ଯ୍ୟ। ଏହା ଉତ୍ତର ପିଢ଼ି ନିମନ୍ତେ ମାର୍ଗ ପ୍ରଶସ୍ତ କରିବା ଦିଗରେ ଏକ ସତ୍‌କାର୍ଯ୍ୟ ମଧ୍ୟ।
ଶିକ୍ଷାଦାନ ସହିତ ଜଡ଼ିତ ସ୍ମୃତିସବୁରୁ ମୁଁ ଅଶେଷ ଶାନ୍ତିଲାଭ କରେ। ମୁଁ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଛି। ପାଠ ପଢ଼ାଇବା ବ୍ୟତୀତ ମୁଁ ପିଲାମାନଙ୍କ ସଙ୍ଗେ ମିଶି ଗୀତ-ସଙ୍ଗୀତ, ଖେଳକୁଦ ଓ ନାଟକ ପ୍ରସ୍ତୁତିରେ ସେମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିଛି। ସ୍ୱାଧୀନତା ଦିବସ ଓ ଜନରାଜ୍ୟ ଦିବସର ପ୍ରସ୍ତୁତି ଓ ପାଳନ ଅବସରରେ ପିଲାମାନଙ୍କର ଉତ୍ସାହକୁ ମନେ ପକାଇ ମୁଁ ଆଜି ମଧ୍ୟ ରୋମାଞ୍ଚିତ ହୁଏ। ବିଦ୍ୟାର୍ଥୀମାନଙ୍କୁ ରମଣୀୟ ପ୍ରାକୃତିକ ସ୍ଥଳୀଗୁଡ଼ିକରେ ବଣଭୋଜି ପାଇଁ ନେଇଯିବା ଏବଂ ଖେଳ ମାଧ୍ୟମରେ ସେମାନଙ୍କୁ ନାନା ଜୀବଜନ୍ତୁ ଓ ବୃକ୍ଷଲତା ବିଷୟରେ ଅବଗତ କରିବା ଆଦି ମୋତେ ସାର୍ଥକ ଲାଗିଥିଲା।
ସ୍କୁଲ୍ ପଢ଼ା ସରିବାର ଏତେ ବର୍ଷ ପରେ ମଧ୍ୟ ମୋ ଛାତ୍ରଛାତ୍ରୀମାନେ ମୋତେ ସେମାନଙ୍କ ପାରିବାରିକ ଉତ୍ସବ ଆଦିକୁ ନିମନ୍ତ୍ରଣ କରିଆସୁଛନ୍ତି। ଅନେକ ଛାତ୍ରଛାତ୍ରୀଙ୍କ ଭଲ ନାଁ ଯେ କେବଳ ମୋର ମନେ ଅଛି ତା’ ନୁହେଁ, ସେମାନଙ୍କ ଡାକ ନାଁ ମଧ୍ୟ ମୋର ମନେ ଅଛି। ମୁଁ ଯେଉଁ ପିଲାମାନଙ୍କୁ ପଢ଼ାଇଛି, ସେମାନଙ୍କ ଠାରୁ ଅନେକ କିଛି ଶିଖିଛି ମଧ୍ୟ। ମୋ ବିଚାରରେ, ପିଲାମାନଙ୍କ ସରଳତା ଓ ଜିଜ୍ଞାସା ଶିକ୍ଷକମାନଙ୍କୁ ଅନେକ କିଛି ଶିଖାଇଥାଏ।
ରାଷ୍ଟ୍ରପତି ଭାବେ ମୋ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିବା ଅବସରର ମୁଁ ରାଷ୍ଟ୍ରପତି ଭବନସ୍ଥ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପରିବେଶ ସଂରକ୍ଷଣ ବିଷୟ ପଢ଼ାଇଥିଲି ଏବଂ ସେମାନଙ୍କ ସହ କଥାବାର୍ତ୍ତା ବି କରିଥିଲି। ବିଦ୍ୟାର୍ଥୀମାନଙ୍କ ସହ ମିଶିବା ଓ ସେମାନଙ୍କ ଚିନ୍ତାଧାରାକୁ ବୁଝିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିଆସିଛି। ସେମାନଙ୍କ କଥାକୁ ମୁଁ ସର୍ବଦା ମୋ ମନରେ ରଖିଆସିଛି।
ପ୍ରାୟ ଏଗାର ବର୍ଷ ତଳେ ମୁଁ ମୋ ଗାଁର ନିଜ ଜାଗାରେ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲି। ସେହି ବିଦ୍ୟାଳୟରେ ଅନାଥ ଓ ବଞ୍ଚିତ ପରିବାରର ପିଲାମାନେ ଶିକ୍ଷାଲାଭ କରନ୍ତି। ସେହି ପିଲାମାନଙ୍କୁ ଭେଟିବା ପାଇଁ ମୁଁ ସେଠାକୁ ଯିବାଆସିବା କରୁଛି। ଏ ବର୍ଷ ଜୁନ୍ ୨୦ ତାରିଖରେ ମୋ ଜନ୍ମଦିନରେ ସେହି ପିଲାମାନଙ୍କୁ ଭେଟି ମୁଁ ବେଶ୍ ଆନନ୍ଦ ଲାଭ କଲି। ସେ ଦିନ ମୋ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେହି ବିଦ୍ୟାଳୟକୁ ଯାଇ ପିଲାମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ତାଙ୍କ ସହ ମିଶିବାର ସ୍ୱତନ୍ତ୍ର ଅନୁଭୂତି ପିଲାମାନଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ହୋଇ ରହିବ। ସେହି ପିଲାମାନଙ୍କ ଉନ୍ନତି ଦେଖିଲେ ମୋତେ ବିଶେଷ ସାର୍ଥକତା ବୋଧ ହୁଏ।
ଶିକ୍ଷାଦାନ କାର୍ଯ୍ୟ କେବଳ ଶିକ୍ଷକମାନଙ୍କଠାରେ ସୀମାବଦ୍ଧ ନୁହେଁ। ବରଂ ନିଜର ଆଚରଣ ଓ ଉପଲବ୍ଧି ମାଧ୍ୟମରେ ପିଲାଙ୍କ ପାଇଁ ‘ରୋଲ୍ ମଡେଲ୍’ ସାଜୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଶିକ୍ଷା ଓ ପ୍ରେରଣାର ଅମୂଲ୍ୟ ଉତ୍ସ ଅଟନ୍ତି।

Horoscope 2026 September 05: ଜାଣନ୍ତୁ ଆଜିର ରାଶିଫଳ...

ପିତାମାତା ଓ ଅଭିଭାବକ କେତେ ଆଶା ଭରସା ସହିତ ନିଜ ପିଲାଙ୍କୁ ଶିକ୍ଷକଙ୍କ ପାଖରେ ଛାଡ଼ିଥା’ନ୍ତି। ସେମାନଙ୍କର ବିଶ୍ୱାସ ଥାଏ ଯେ ଶିକ୍ଷକ ସେମାନଙ୍କ ପିଲାଙ୍କୁ ନିଜର ମଣି ତାଙ୍କ ସୁରକ୍ଷା ଓ ପ୍ରଗତି ପ୍ରତି ଯତ୍ନବାନ ହେବେ। ଏହି ପବିତ୍ର ଆସ୍ଥା ପ୍ରତି ସମ୍ମାନ ଜଣାଇବା ପ୍ରତ୍ୟେକ ଶିକ୍ଷକଙ୍କର ଧର୍ମ। ଶିକ୍ଷକମାନଙ୍କର ମନୋବୃତ୍ତି, ଆଚରଣ ଓ ବ୍ୟବହାର ଏପରି ହେବା ଉଚିତ ଯଦ୍ଦ୍ବାରା ପିଲାମାନଙ୍କ ମନରେ ଭୟ ବା ଆଶଙ୍କା ନ ଉପୁଜିବ, ସେମାନଙ୍କ ମନୋବଳ ନ ଭାଙ୍ଗିବ ଏବଂ ସେମାନଙ୍କ ମଧ୍ୟରେ ହୀନମନ୍ୟତା ଦେଖା ନଦେବ। ବିଦ୍ୟାର୍ଥୀମାନେ ଯେପରି ବ୍ୟକ୍ତିତ୍ୱ ବିକାଶର ଶିଖର ଛୁଇଁବେ, ଏହା ସୁନିଶ୍ଚିତ କରିବାର ଗୁରୁଦାୟିତ୍ୱ ଉତ୍ତମ ଶିକ୍ଷକମାନଙ୍କଠାରେ ନ୍ୟସ୍ତ ରହିଛି।
ବିଦ୍ୟାର୍ଥୀଙ୍କୁ ଭଲ ମଣିଷ କରି ଗଢ଼ିବା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଏକ ପୁଣ୍ୟ କର୍ମ। ନୈତିକତାର ପଥରେ ପରିଚାଳିତ ହୋଇ ସମୃଦ୍ଧି ଓ ଯଶ ଲାଭ କରୁଥିବା ବିଦ୍ୟାର୍ଥୀମାନେ ହିଁ ଶିକ୍ଷକଙ୍କ ସଫଳତାର ମୂର୍ତ୍ତିମନ୍ତ ପ୍ରତୀକ ଅଟନ୍ତି।
ଆମ ଦେଶ ସାମାଜିକ ଅନ୍ତର୍ଭୁକ୍ତୀକରଣ ସହିତ ବିକଶିତ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟ ପ୍ରାପ୍ତି ଦିଗରେ ଅଗ୍ରସର ହେଉଛି। ମୁଁ ଚାହେଁ, ବିକାଶର ଏହି ଯାତ୍ରାରେ ଆମ ଶିକ୍ଷକଗଣ ଏପରି ପିଢ଼ିର ନିର୍ମାଣ କରନ୍ତୁ, ଯିଏ ଆମ ସଂସ୍କୃତିର ଗୌରବମୟ ପରମ୍ପରାର ଗୁରୁତ୍ୱ ଉପଲବ୍ଧି କରିବେ, ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ମାନବଜାତିର ହିତ ପାଇଁ କାର୍ଯ୍ୟ କରିବେ, ଅନ୍ତୋଦୟର ଆଦର୍ଶକୁ ଆତ୍ମସ୍ଥ କରିବେ, ପରିବେଶ ଓ ପଶୁପକ୍ଷୀଙ୍କ ସଂରକ୍ଷଣରେ ସକ୍ରିୟ ରହିବେ, ବ୍ୟକ୍ତିଗତ ଓ ସାମୂହିକ ଗତିବିଧିରେ ଉତ୍କର୍ଷ ଲାଭ କରିବେ ତଥା ‘ରାଷ୍ଟ୍ର ସର୍ବୋପରି’ ମନୋଭାବ ଘେନି ଆଗକୁ ବଢ଼ିବେ। ଦେଶବାସୀଙ୍କୁ ମୋର ଅନୁରୋଧ, ସେମାନେ ନିଷ୍ଠାବାନ ଶିକ୍ଷକମାନଙ୍କୁ ସର୍ବଦା ସମ୍ମାନାସ୍ପଦ ମଣନ୍ତୁ। ସମର୍ପିତ ଶିକ୍ଷକମାନଙ୍କ ଯୋଗଦାନ ବଳରେ ଭାରତ ପଢ଼ିଚାଲୁ ଓ ବେଶ୍ ଆଗକୁ ବଢ଼ିଚାଲୁ, ଏହା ମୋର ଆନ୍ତରିକ କାମନା।
(ମତାମତ ଲେଖକଙ୍କ ନିଜସ୍ବ)

Read Entire Article
LEFT SIDEBAR AD

Hidden in mobile, Best for skyscrapers.