The traffic system: ଭୁଶୁଡ଼ିଗଲାଣି ଟ୍ରାଫିକ୍‌ ବ୍ୟବସ୍ଥା: କନ୍ଦାଉଛି ଅସଜଡ଼ା ଭିତ୍ତିଭୂମି, ଜରିମାନାରେ ସୀମିତ ପୁଲିସ କାର୍ଯ୍ୟାନୁଷ୍ଠାନ

2 days ago 5
ARTICLE AD BOX

ଭୁବନେଶ୍ବର: ପୂର୍ବଭଳି ଆଉ ଟ୍ରାଫିକ୍‌ ଛକଗୁଡ଼ିକ‌ରେ ଗାଡ଼ି ଭିଡ଼ ‌ହେବନି। ଲୋକେ ‌ବେଶି ସମୟ ଟ୍ରାଫିକ୍‌ରେ ଅଟକିବେ ନାହିଁ। ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହାନ ପାଇଁ ରାସ୍ତାର ବାମପାର୍ଶ୍ବ ଅବରୋଧମୁକ୍ତ ରହିବ। ଫଳରେ ଟ୍ରାଫିକ୍‌ ପରିଚାଳନା ସହଜ ହେବ। ଏଭଳି ସୁନେଲି ସ୍ବପ୍ନ ଦେଖାଇ ଟ୍ରାଫିକ୍‌ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଗଲା। ଏଥିପାଇଁ ଭୁବନେଶ୍ବରର ପ୍ରାୟ ୪୦ଟି ଛକରେ ରାସ୍ତାର ବାମପାର୍ଶ୍ବରେ ବୋଲାର୍ଡ ଲାଗିଥିଲା। ଟ୍ରାଫିକ୍‌କୁ ସ୍ମାର୍ଟ କରିବା ଲାଗି ପ୍ରସ୍ତାବ ଦିଆଗଲା, କାର୍ଯ୍ୟକାରୀ ବି ‌ହେଲା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିରେ ନବୀକରଣ ହେଲା। ମାନୁଆଲ୍‌ ଟ୍ରାଫିକ୍‌କୁ ହଟାଇ ପାଖାପାଖି ୫୦ଟି ଟ୍ରାଫିକ୍‌ ପୋଷ୍ଟ୍‌ରେ ସ୍ବୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଲାଗୁ କରାଗଲା। ହେଲେ ଏତେ ସବୁ ଯୋଜନା ଏବେ ଏକ ପ୍ରହସନରେ ପରିଣତ ହୋଇଛି। କେଉଁଠି ସିଗ୍‌ନାଲ୍‌ କାମ କରୁନି ତ କେଉଁଠି ବୋଲାର୍ଡ ଭାଙ୍ଗି ରାସ୍ତାରେ ମିଶିଗଲାଣି। କେଉଁଠି ସିସି କ୍ୟାମେରା କାମ କରୁନି। ଅସଜଡ଼ା ଭିତ୍ତିଭୂମି ପାଇଁ ଲୋକେ ଟ୍ରାଫିକ୍‌ ଭିଡ଼ରେ ରୀତିମତ କଲବଲ ହେଉଛନ୍ତି। ଏମିତିକି  ଆମ୍ବୁଲାନ୍ସ, ଦମକଳ ଭଳି ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ଉଦ୍‌ବେଗର ବିଷୟ, ନିଜ ତ୍ରୁଟି ଲୁଚାଇବାକୁ ଯାଇ କମିସନରେଟ୍‌ ପୁଲିସ ଓ ବିଏସ୍‌ସିଏଲ୍‌ ପରସ୍ପର ଦୋଷ ଲଦାଲଦି ହେଉଛନ୍ତି।

ଅତିକ୍ରମ ପାଇଁ ୩ଥର ଅପେକ୍ଷା
ଏବେ ଗୋଟିଏ ଟ୍ରାଫିକ୍‌ ଛକକୁ ଅତିକ୍ରମ କରିବାକୁ ହେଲେ ଲୋକଙ୍କୁ ଅତିକମ୍‌ରେ ତିନି ତିନି ଥର ଅପେକ୍ଷା କରିବାକୁ ପଡ଼ୁଛି। ଟ୍ରାଫିକ୍‌ରେ ଅଟକି ଥିବା ଗାଡ଼ି ଷ୍ଟାର୍ଟ କରୁ କରୁ ସବୁଜ ବତି ନାଲି ହୋଇଯାଉଛି। ପାଦେ ଆଗେଇବା ପରେ ପୁଣି ଗାଡ଼ି ଷ୍ଟାର୍ଟ ବନ୍ଦ କରି ଟ୍ରାଫିକ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ରାଜଧାନୀର ଜନପଥରେ ଥିବା ଆଇଡିବିଆଇ ଛକଠାରୁ ଆରମ୍ଭ କରି ବିଗ୍‌ବଜାର ଟ୍ରାଫିକ୍‌, ରାମମନ୍ଦିର, ଶ୍ରୀୟା, ମାଷ୍ଟରକ୍ୟାଣ୍ଟିନ ଛକ ସବୁଠି ଏଭଳି ସ୍ଥିତି। ସେହିପରି ସିଆର୍‌‌ପିରୁ ନେଇ ଷ୍ଟିୱାର୍ଟ ସ୍କୁଲ ଛକ, ଡିଏଭି, ପାୱାରହାଉସ୍‌, ଦ ୱାଲର୍ଡ, ଡମଣା, ପଟିଆ, ବିଗ୍‌ବଜାରଛକ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା। ଟ୍ରାଫିକ୍‌ ‌ପୋଷ୍ଟ ଆସିଲେ କେମିତି ପାର୍‌ ହେବେ ଚିନ୍ତାରେ ପଡ଼ୁଛନ୍ତି। ଅନେକ ଟ୍ରାଫିକ୍‌ରେ ଅଧମିନିଟ୍‌ରୁ କମ୍‌ ସମୟରେ ନୀଳରୁ ନାଲି ସିଗ୍‌ନାଲ୍ ପରିବର୍ତ୍ତନ ହେଉଛି। ଫଳରେ ଏହି ସମୟରେ ଜାଣି ନପାରି ଲୋକ ଟ୍ରାଫିକ୍‌ ଅତିକ୍ରମ ଯୋଗୁ କିଏ ନାଲି ଲାଇଟ୍‌ ପାଇଁ ତ କିଏ ଜେବ୍ରା କସିଂ ଅତିକ୍ରମ ପାଇଁ  ତଣ୍ଡ ଗଣୁଛନ୍ତି।

ବର୍ଷାରେ ଫେଲ୍‌ ମାରୁଛି ସିଗ୍‌ନାଲ୍‌
ଯେମିତି ଗାଁରେ ବର୍ଷା ପବନ ହେଲେ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯାଏ। ଠିକ୍‌ ସେମିତି ରାଜଧାନୀରେ ବର୍ଷା ହେଲେ ଟ୍ରାଫିକ୍‌ ବ୍ୟବସ୍ଥା ବି ଠପ୍‌ ହୋଇଯାଉଛି।  ଅନେକ ସମୟରେ ଟ୍ରାଫିକ୍‌ ସିଗନାଲ୍‌ ମନକୁ ମନ କଟି ଯାଉଛି। କେତେବେଳେ ବ୍ୟାଟେରି ସରିଯାଉଛି ତ କେତେବେଳେ ବର୍ଷା କାରଣରୁ ସିଗ୍‌ନାଲ୍‌ ରହୁନି। ପୁଣି ଆଉ କେତେବେଳେ ଲାଗିଥିବା ସୋଲାର୍‌ ସିଷ୍ଟମ୍‌ ଖରାପ ହେଉଛି। ମରାମତି ପରେ ବି କାମ କରୁନାହିଁ। ଆଶ୍ଚର୍ଯ୍ୟର କଥା ଯେ ଏଥିପାଇଁ ବି ଲୋକ ତଣ୍ଡ ଗଣୁଛନ୍ତି। କାରଣ ହଠାତ୍‌ ସିଗ୍‌ନାଲ୍‌ରେ ପରିବର୍ତ୍ତନ ଯୋଗୁ ପୋଷ୍ଟଗୁଡ଼ିକରେ ଲଗାଯାଇଥିବା ଏଆଇ କ୍ୟାମେରା ସିଗ୍‌ନାଲ୍‌ର ତ୍ରୁଟିକୁ ଜାଣିପାରୁନାହିଁ। ଲୋକଙ୍କୁ ଭୁଲ ଦର୍ଶାଇ  ସ୍ବୟଂଚାଳିତ ଚାଲାଣ କାଟୁଛି।

ରାସ୍ତାକଡ଼ ଭାରିଯାନ ପାର୍କିଂ
ରାଜଧାନୀରେ ଜାମ୍‌ର ଆଉ ଏକ ପ୍ରମୁଖ କାରଣ ହେଲା ରାସ୍ତାକଡ଼ ବେଆଇନ୍‌ ପାର୍କିଂ। ଖଣ୍ଡଗିରିଠାରୁ ନେଇ ରସୁଲଗଡ଼, ପଟିଆଠାରୁ କଳ୍ପନା ରାସ୍ତାର ବିଭିନ୍ନ ସ୍ଥାନରେ ବେଆଇନ୍‌ ପାର୍କିଂ କରାଯାଉଛି। ତେବେ କୌଣସି ଛୋଟ ଯାନ ନୁ‌ହେଁ ବସ୍‌, ଟ୍ରକ୍‌, ଜେସିବି ଭଳି ଭାରିଯାନଗାଡ଼ିକୁ ମୁଖ୍ୟ ରାସ୍ତାରେ ବେଆଇନ୍‌ ଭାବେ ପାର୍କିଂ କରାଯାଉଛି। ଯେଉଁଥି ପାଇଁ ପ୍ରତି ଦିନ ଲୋକେ ଭିଡ଼ର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ପୁଲିସକୁ ମଧ୍ୟ ଏକଥା ଭଲଭାବେ ଜଣା। ହେଲେ ସେଠାରୁ ଗାଡ଼ିଗୁଡ଼ିକୁ ହଟାଯାଉଛନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହାକି ଟ୍ରାଫିକ୍‌ ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ବାମପାର୍ଶ୍ବ ଅବରୋଧମୁକ୍ତ ନିୟମ ପ୍ରହସନ
ଖାଲି ସିଗ୍‌ନାଲ୍‌ ନୁହେଁ, ବାମପଟ ଅବରୋଧମୁକ୍ତ ନିୟମକୁ ବି କେହି ମାନୁନାହାନ୍ତି। ୨୦୨୦ ମସିହାରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ଦାୟିତ୍ବରେ ଥିବା ବେଳେ ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବିଭିନ୍ନ ଛକର ଟ୍ରାଫିକ୍ ପୁଲିସ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବା ସହିତ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଥିଲା। ପରେ ତାଙ୍କର ବଦଳି ହୋଇଗଲା। ଏହା ପରେ ପୁଣି ଏହି ଯୋଜନା ସ୍ଥାଣୁ ପାଲଟିଗଲା। ୨୦୨୨ରେ ଭୁବନେଶ୍ବରର ଟ୍ରାଫିକ୍ ଡିସିପି ଭାବେ ଏସ୍‌ ସୁଶ୍ରୀ ଦାୟିତ୍ବ ନେବା ପରେ ପୁଣି ଏହାକୁ କଡ଼ାକଡ଼ି କରାଗଲା। କୌଣସି କାରଣବଶତଃ ତାଙ୍କର ବଦଳି ହେବା ପରେ ଏସିପି ସ୍ବସ୍ତିକ ପଣ୍ଡା ଏନେଇ ଏକ ସ୍ବତନ୍ତ୍ର ନିୟମାବଳୀ କଲେ। ବିଶେଷ କରି  ହସ୍ପିଟାଲ୍‌ ନିକଟସ୍ଥ ଛକମାନଙ୍କରେ ଏହି ନିୟମ ଲାଗୁ ହେଲା। ଆଉ ଏବେ ୪୦ଟି ଛକରେ ବୋଲାର୍ଡ ଲଗାଇ ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କଲେ। ମାତ୍ର ଏହାର ୫ମାସ ପରେ ପୁଣି ରାଜଧାନୀରେ ସମାନ ସ୍ଥିତି। ବୋଲାର୍ଡ ଉପରେ ଗାଡ଼ି ଚଢ଼ାଇ ଅମାନିଆମାନେ ରାସ୍ତାର ବାମପାର୍ଶ୍ବ ଅବରୋଧ କରୁଛନ୍ତି। ଫଳରେ ବାମପାର୍ଶ୍ବ ଅବରୋଧମୁକ୍ତ ନିୟମ କେବଳ ପ୍ରହସନ ପାଲଟିଛି। ଟ୍ରାଫିକ୍‌ରେ ଏଭଳି ଅବ୍ୟବସ୍ଥା ରାଜଧାନୀବାସୀଙ୍କୁ ନାକେଦମ କରିଛି।

ଚନ୍ଦ୍ରଶେଖରପୁରରେ କନ୍ଦାଉଛି ଟ୍ରାଫିକ୍‌

ଚନ୍ଦ୍ରଶେଖରପୁର: ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ରାଜ୍ୟ ସରକାର ଏକାଧିକ ଯୋଜନା କରିଛନ୍ତି। ଗୋଟିଏ ଦଶନ୍ଧି ହେଲା ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। କେବେ ସମାନ୍ତରାଳ ରାସ୍ତା ତ ଆଉ କେବେ ଫ୍ଲାଏଓଭର ନିର୍ମାଣ। ସହରବାସୀଙ୍କୁ ବାରମ୍ବାର ଦେଖାଉ ଥିବା ସ୍ବପ୍ନ କେବେ ବାସ୍ତବ ରୂପ ନେବ, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଖୋଲିଥିଲେ ମଧ୍ୟ ତାହା ଭିଡ଼ କମାଇବାକୁ ପର୍ଯ୍ୟାପ୍ତ ହେଉ ନାହିଁ। ପୂର୍ବ ଭଳି ଜୟଦେବବିହାର ଛକ, ଜାଭିଅର ଛକ, ନାଲକୋ ଛକ, ଡମଣା ଛକ, ପଟିଆ ଛକ ଓ କିଟ୍‌ ଛକରେ ପରିସ୍ଥିତ ଅଣାୟତ୍ତ ହେଉଛି। ଶନିବାର, ରବିବାର ଓ ଛୁଟି ଦିନଗୁଡ଼ିକରେ ଡମଣା ଓ କିଟ୍‌ ଛକରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ପଟିଆ ଛକରୁ କିଟ୍‌ ଛକ ଏବଂ ପଟିଆରୁ ଡମଣା ଛକ ପର୍ଯ୍ୟନ୍ତ ଶହ ଶହ ଗାଡ଼ି ଧାଡ଼ି ଲାଗୁଛି। ଏବେ ଜୟଦେବବିହାର ଛକରୁ ରଘୁନାଥପୁର ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ପାଇଁ ମାଟି ପରୀକ୍ଷା ଚାଲିଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତିନି ଲେନ୍‌ ମଧ୍ୟରୁ ଗୋଟିଏ ଲେନ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଦୁଇ ଲେନ୍‌ରେ ଗାଡ଼ି ଚାଲିବା ସମୟରେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଘଟଣା ମଧ୍ୟ ବଢ଼ୁଛି। ଏହାରି ଭିତରେ ପଟିଆ ସାଇମନ୍ଦିର ଛକ ଓ କଳାରାହାଙ୍ଗ ଛକରେ ଦୁଇଟି ନୂତନ ଟ୍ରାଫିକ୍‌ ପୋଷ୍ଟ ସୃଷ୍ଟି ହୋଇଥିବାରୁ ଭିଡ଼ ଆହୁରି ବଢ଼ୁଛି। ତେଣୁ ସେଠାରେ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ରବି ଟକିଜ୍‌ ଛକ ଦେଉଛି ଯନ୍ତ୍ରଣା
ରବି ଟକିଜ୍‌ ଛକରେ ଟ୍ରାଫିକ ସିଗ୍‌ନାଲ୍‌ ଅଛି ହେଲେ କାମ କରୁନି। ଏହି ଛକ ଦେଇ ଟଙ୍କପାଣି, ବଡ଼ଗଡ଼, ବାଲିଅନ୍ତା, ଶିଶୁପାଳଗଡ଼, ସାମନ୍ତରାପୁର, ଧଉଳି ଓ ପୁରୀ, କଟକ ରୋଡ୍‌, କଳ୍ପନା ,ପୁରୁଣା ଭୁବନେଶ୍ବରର ଲୋକମାନେ ଯାତାୟାତ କରିଥା’ନ୍ତି। କିନ୍ତୁ ରବି ଟକିଜ୍‌ ଛକ ଟ୍ରାଫିକ୍‌କୁ ବ୍ୟବସ୍ଥିତ କରାଯାଇ ପାରିନାହିଁ। ପ୍ରଥମତଃ ଏହି ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍ ଦ୍ବାରା ଟ୍ରାଫିକ ନିୟନ୍ତ୍ରଣ ହେଉନାହିଁ। ଟ୍ରାଫିକ୍‌ ପୋଷ୍ଟ ଉପରେ ଗାଡ଼ି ଚାଳକଙ୍କୁ ନିର୍ଦ୍ଦେଶ ଦେଉଥିବା ଟ୍ରାଫିକ୍‌ ପୁଲିସ କେବଳ ହାତ ହଲାଇ ଇସାରା କରୁଛନ୍ତି। ଅନେକ ସମୟରେ ଟ୍ରାଫିକ୍‌ ପୁଲିସଙ୍କ ନିର୍ଦ୍ଦେଶକୁ ବୁଝିବାରେ ଗାଡ଼ି ଚାଳକ ଅକ୍ଷମ ହେଉଥିବା ଯୋଗୁଁ ପରିସ୍ଥିତି ଜଟିଳ ହେଉଛି। କଳ୍ପନା ପଟୁ ଆସୁଥିବା ଗାଡ଼ି ଏବଂ ଧଉଳି ପଟୁ ଆସୁଥିବା ଗାଡ଼ିକୁ ଏକ ସଙ୍ଗରେ ଛଡ଼ା ଯାଉଛି। ଫଳରେ କଳ୍ପନାରୁ ଆସି ପୁରୁଣା ଭୁବବନେଶ୍ବର ଯିବାକୁ ଥିବା ଗାଡ଼ି ଏବଂ ଧଉଳି ପଟୁ ଆସି ଟଙ୍କପାଣି ଛକ ଆଡକୁ ଯିବାକୁ ଥିବା ଗାଡ଼ି ଟ୍ରାଫିକ୍‌ ଉପରେ ଛିଡ଼ା ହୋଇରହୁଛି। ସେହିପରି ଟଙ୍କପାଣି ଏବଂ ପୁରୁଣା ଭୁବନେଶ୍ବର ଦୁଇ ପଟର ଗାଡ଼ିକୁ ଏକ ସଙ୍ଗେ ଛଡ଼ା ଯାଉଥିବାରୁ ଛକ ମଝିରେ ଜାମ୍‌ ହେଉଛି, ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି।

ଷ୍ଟେସନ ବଜାର
‌ଷ୍ଟେସନ ବଜାରରେ ଗହଳି ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଣ ଓସାରିଆ ରାସ୍ତା, ‌ବେଆଇନ ପାର୍କିଂ ଏହି ରାସ୍ତାକୁ ଅଧିକ ଜଟିଳ କରୁଛି। ଫଳରେ କଳ୍ପନା ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ବାମ ମୋଡ଼ ନେଇ ରେଳ ଷ୍ଟେସନ ଆଡ଼କୁ ଯିବାକୁ ଚାହିଲେ ଟ୍ରାଫିକରେ ଅଟକିଥିବା ଗାଡ଼ି ଗୁଡ଼ିକ ବାଟ ଛାଡ଼ୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଓ ଉତ୍ତେଜନା ଦେଖା ଦେଉଛି। 

କଳ୍ପନା
ରାଜମହଲ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ବାମପଟକୁ ଯିବାକୁ ବହୁ ହଇରାଣ ହେଉଛନ୍ତି। ରାସ୍ତାର ବାମ ପାର୍ଶ୍ବରେ ଫଳଦୋକାନ ମାଡ଼ି ବସିଛନ୍ତି। ‘ଆମ ବସ’ ମଧ୍ୟ ଏହି ଜାଗାରେ ଯାତ୍ରୀ ଉଠାଉ ଥିବାରୁ ବାମ ପଟ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇଯାଉଛି।

ରସୁଲଗଡ଼ ଛକ କେହି ମାନୁନାହାନ୍ତି
ରସୁଲଗଡ଼ ଛକରେ ରଙ୍ଗରୁଟ୍‌ ପ୍ରାଣଘାତକ ସାଜିଲାଣି। ଆଖି ପଲକ ପକେଇଲେ ଗାଡ଼ି ମାଡ଼ିଯିବାର ଭୟ ରହୁଛି। ଯାହା ଅସମ୍ଭାଳ ଟ୍ରାଫିକ୍‌ ସମସ୍ୟାର କାରଣ ପାଲଟିଲାଣି। ତଥାପି ଟ୍ରାଫିକ୍‌ ପୁଲିସଙ୍କ ନିଦ ଭାଙ୍ଗୁନି। ଏକ ବଡ଼ ଅଘଟଣକୁ ସତେ ଯେପରି ଅପେକ୍ଷା କରିଛନ୍ତି। ରସୁଲଗଛ ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ଛକ। ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାର ଗାଡ଼ିମୋଟର ଏହି ବାଟ ଦେଇ ଯା’ଆସ କରୁଛି। ଭିଡ଼କୁ ଆଖି ଆଗରେ ରଖି ଏଠାରେ ଫ୍ଲାଏଓଭର ହେଲା। ତଥାପି ଭିଡ଼ ସମସ୍ୟା ସମାଧାନ ହୋଇପାରିନି। ପ୍ରତିଦିନ ଏଠାରେ ଗାଡ଼ିମୋଟର ଭିଡ଼ରେ ଫସୁଛନ୍ତି। ଉଭୟ ଫ୍ଲାଏଓଭର ଉପର ଓ ତଳେ ଭିଡ଼ରେ ଚାଳକ ଅଣନିଃଶ୍ବାସୀ ‌ହୋଇପଡ଼ୁଛନ୍ତି। ଭିଡ଼ ହେଲେ ସଙ୍ଗେ ସଙ୍ଗେ ପଳାଶୁଣୀରୁ ବାଣିବିହାର ରାସ୍ତା ସଂପୂର୍ଣ୍ଣ ଅବରୋଧ ହୋଇଯାଉଛି। ଏହାର ପ୍ରମୁଖ କାରଣ ରଙ୍ଗ ରୁଟ୍‌ ହୋଇଥିବାବେଳେ ଏଥିପ୍ରତି କାହାରି ନଜର ନାହିଁ। ଅମାନିଆ ଚାରିଚକିଆ, ଦୁଇଚକିଆ ଡାହାଣ ପାର୍ଶ୍ବ ଦେଇ ଯା’ଆସ କରୁଛନ୍ତି। କେତେବେଳେ ପଳାଶୁଣୀ ୱାଟ୍‌କୋ କାର୍ଯ୍ୟାଳୟ ପାର୍ଶ୍ବରୁ ମଞ୍ଚେଶ୍ବର ଅବା କଟକ ରୋଡ୍‌କୁ ଅମାନିଆ ଚାଳକମାନେ ଡାହାଣ ପାର୍ଶ୍ବରେ ଗାଡ଼ି ଚଳାଇ ଆସୁଛନ୍ତି ତ କେତେବେଳେ ରସୁଲଗଡ଼ ଛକରୁ ଡାହାଣପାର୍ଶ୍ବରେ ଲୋ‌କେ ପଳାଶୁଣୀ ଛକ ଆଡ଼କୁ ଯା’ଆସ କରୁଛନ୍ତି। ସର୍ବାଧିକ ଚାରିଚକିଆ ଓ ଦୁଇଚକିଆ ରସୁଲଗଡ଼ରୁ ପଳାଶୁଣୀ ଅଭିମୁଖେ ଡାହାଣ ପାର୍ଶ୍ବରେ ଯା’ଆସ କରୁଛନ୍ତି। ଯାହା ଭିଡ଼ ସମସ୍ୟାକୁ ବଢ଼ାଇଦେଲାଣି। ବୋଝ ଉପରେ ନଳିତା ବିଡ଼ା ସାଜିଛି, ଅମାନିଆ ବସ୍‌ ଚାଳକ। ଏମାନେ ମନଇଛା ରସୁଲଗଡ଼ ଛକରେ ଗାଡ଼ିମୋଟର ଅଟକାଉଛନ୍ତି ଓ ଯାତ୍ରୀ ଉଠାଉଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି, ଏଠାରେ ଦିନେ ଅଧେ ‌ଯେଉଁଦିନ ଟ୍ରାଫିକ୍‌ କର୍ମଚାରୀ ରହୁଛନ୍ତି, ସେମାନେ ଟ୍ରାଫିକ ନିୟନ୍ତ୍ରଣ କରିବା ଅପେକ୍ଷା, କେମିତି ଅଧିକ ଜରିମାନା ଯୋଗାଡ଼ କରିବେ, ସେଥିରେ ବ୍ୟସ୍ତ ରହୁଛନ୍ତି। ଲୁଚି ବସି ମୋବାଇଲ୍‌ରେ ଫଟୋ ଉଠାଇ ଦେଲେ, ସେମାନଙ୍କ କାମ ସରିଗଲା ବୋଲି ଭାବୁଛନ୍ତି। ‌ଲୋକେ ଭିଡ଼ରେ ଫସୁଥିବା ବେଳେ ସେମାନେ ଟଙ୍କା ଆଦାୟକୁ ଗୁରୁତ୍ବ ଦେଉଥିବାରୁ, ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

sfhhfshfshfs

ବରମୁଣ୍ଡାରେ ପୁଣି ଅମାନିଆ ହେଲେଣି ବସ୍‌
ରାଜ୍ୟର ସର୍ବବୃହତ୍‌ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌ ପ୍ରବେଶ ଓ ପ୍ରସ୍ଥାନ ପଥ ପୁଣିଥରେ ମାଡ଼ି ବସିଲେଣି ଅମାନିଆ ବସ୍‌ ଚାଳକ। ପ୍ରବେଶ ଓ ପ୍ରସ୍ଥାନ ପଥରେ ଠିଆହୋଇ ଯାତ୍ରୀ ଉଠାଉଛନ୍ତି। ଏଣୁ ଜାତୀୟ ରାଜପଥ ଉପରେ ଅଯଥା ଭିଡ଼ ବଢ଼ୁଛି। ସେପଟେ ବରମୁଣ୍ଡା ଫ୍ଲାଏଓଭର ଉପରେ ବି ବସ୍‌ ରଖି ଯାତ୍ରୀ ଉଠାଯାଉଛି। ନିୟମାନୁଯାୟୀ, କେହି ପ୍ରବେଶ ଓ ପ୍ରସ୍ଥାନ ପଥ ରାସ୍ତାରେ ଗାଡ଼ି ରଖି ଯାତ୍ରୀ ଉଠାଇ ପାରିବେନାହିଁ। ଯେଉଁମାନେ ଖୋରଧା, ନୟାଗଡ଼ ପାର୍ଶ୍ବକୁ ଗାଡ଼ିନେବେ, ସେମାନେ ଫ୍ଲାଏଓଭର ଉପର ଦେଇ ଯିବେ। କିନ୍ତୁ ବସ୍‌ଗୁଡ଼ିକ ଅଣ୍ଡର୍‌ପାସ୍‌ ଦେଇ ପଶୁଛନ୍ତି। ବରମୁଣ୍ଡା-ଖଣ୍ଡଗିରି ରାସ୍ତାରେ ଗାଡ଼ି ରଖୁଛନ୍ତି ଓ ଯାତ୍ରୀ ଉଠାଉଛନ୍ତି। ଏଣୁ ଲୋକେ ବି ଏଠାରେ ଭିଡ଼ ଲଗାଇଲେଣି। ଏମାନଙ୍କୁ ଘଉଡ଼ାଇବା ପାଇଁ ଟ୍ରାଫିକ ପୁଲିସ ବି ମୁତୟନ ହୋଇଛନ୍ତି। କିନ୍ତୁ ହାତଗୁଞ୍ଜା ନେଇ ସମସ୍ତେ ନିରବ। ସମାନ ସ୍ଥିତି କଟକ ଓ ପୁରୀ ପାର୍ଶ୍ବକୁ ଯାଉଥିବା ବସ୍‌ମାନେ କରୁଛନ୍ତି। ଅଟୋ ବି ଲମ୍ବାଧାଡ଼ିରେ ରାସ୍ତାରେ ଗାଡ଼ି ଠିଆ କରୁଛନ୍ତି। ଏଣୁ  ଦୁଇପାର୍ଶ୍ବ ରାସ୍ତାରେ ଅସମ୍ଭାଳ ଭିଡ଼ ରହୁଛି। ଲୋକେ ଦୈନିକ ଏଥିପାଇଁ କଲବଲ ହେଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.