ARTICLE AD BOX
ୱାସିଂଟନ: ଇରାନ ବିରୋଧରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଯୁଦ୍ଧକୁ ଛଅ ମାସ ପୂରିଥିଲେ ମଧ୍ୟ ଏହାର ଶେଷ କେବେ ହେବ, ତାହାର କୌଣସି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଗତ ଫେବ୍ରୁଆରି ଶେଷଭାଗରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେବଳ ୪ରୁ ୫ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଟ୍ରମ୍ପ ପ୍ରାରମ୍ଭରେ ଆଶା କରିଥିଲେ। କିନ୍ତୁ ଛଅ ମାସ ପରେ ଯୁଦ୍ଧର ଲକ୍ଷ୍ୟ ମଧ୍ୟ ବଦଳି ଯାଇଥିବାବେଳେ ଉଭୟ ପକ୍ଷ ମଧ୍ୟରେ ସ୍ଥାୟୀ ସମାଧାନର କୌଣସି ରାସ୍ତା ବାହାରିପାରି ନାହିଁ।
ଜୁନ୍ରେ ଯୁଦ୍ଧ ଶେଷ କରିବା ଲକ୍ଷ୍ୟରେ ହୋଇଥିବା ଏକ ବୁଝାମଣା ମଧ୍ୟ ପରବର୍ତ୍ତୀ ସମୟରେ ବିଫଳ ହୋଇଯାଇଛି। ଟ୍ରମ୍ପ ବାରମ୍ବାର ଯୁଦ୍ଧରେ ବିଜୟ କିମ୍ବା ଏକ ସମ୍ଭାବ୍ୟ ଚୁକ୍ତି ନିକଟବର୍ତ୍ତୀ ବୋଲି କହିଥିଲେ ମଧ୍ୟ ଯୁଦ୍ଧରୁ ବାହାରିବା ପାଇଁ ଆମେରିକା ନିକଟରେ ସ୍ପଷ୍ଟ କୌଶଳ ନଥିବା ଏହି ଦୀର୍ଘ ସଂଘର୍ଷରୁ ସ୍ପଷ୍ଟ ହୋଇଛି। ଯୁଦ୍ଧ ଆରମ୍ଭ ସମୟରେ ଇରାନର ସାମରିକ ଓ ପରମାଣୁ କ୍ଷମତାକୁ ଦୁର୍ବଳ କରିବା ପ୍ରମୁଖ ଲକ୍ଷ୍ୟ ଥିଲା। ଛଅ ମାସ ପରେ ଆମେରିକା ଇରାନର ସାମରିକ କ୍ଷମତାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥିବା ଦାବି କରୁଛି। କିନ୍ତୁ ପ୍ରାରମ୍ଭରେ ଧାର୍ଯ୍ୟ ଅନେକ ଲକ୍ଷ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଅନ୍ୟପକ୍ଷରେ ଯୁଦ୍ଧର କିଛି ପ୍ରାଥମିକତା ସମୟ ସହ ବଦଳିଯାଇଛି। ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ଆମେରିକାର ପ୍ରମୁଖ ଲକ୍ଷ୍ୟ ପାଲଟିଛି।
ଏହି ଦୀର୍ଘ ଯୁଦ୍ଧରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଭଣ୍ଡାର ମଧ୍ୟ ହ୍ରାସ ପାଉଥିବାରୁ ୱାସିଂଟନ ନୂଆ ସାମରିକ ଆକ୍ରମଣ ଅପେକ୍ଷା ଇରାନ ଉପରେ ଅର୍ଥନୈତିକ ଚାପ ବଢ଼ାଇବାକୁ ଅଧିକ ଗୁରୁତ୍ୱ ଦେଉଛି। ତେବେ ହର୍ମୁଜ୍ ପ୍ରଣାଳୀ ଖୋଲିବା, ଇରାନର ପରମାଣୁ କ୍ଷମତା ସମ୍ପର୍କରେ ସ୍ଥାୟୀ ସମାଧାନ ଏବଂ ଯୁଦ୍ଧ ଶେଷ ପାଇଁ ଗ୍ରହଣୀୟ ଚୁକ୍ତି ନହେବା ପର୍ଯ୍ୟନ୍ତ ଏହି ସଂଘର୍ଷ କେତେ ଦିନ ଚାଲିବ, ସେନେଇ ଅନିଶ୍ଚିତତା ରହିଛି।

1 hour ago
7


