ARTICLE AD BOX
ନୂଆଦିଲ୍ଲୀ : ମୁମ୍ବାଇରେ ୩ ଦିନି ଧରି ଚାଲିଥିବା ‘ଇଣ୍ଡିଆ କେମ୍-୨୦୨୬’ କନ୍କ୍ଲେଭ ଆଜି ଉଦ୍ଯାପିତ ହୋଇଛି । ଚତୁର୍ଦ୍ଦଶ ସଂସ୍କରଣକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଉଦ୍ଘାଟନ କରିଥିଲେ । ଏଥିରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସିଇଓ ଫୋରମ୍ ସହ ଭାରତ-ଜାପାନ, ଭାରତ-ଯୁକ୍ତରାଷ୍ଟ୍ର ଆମେରିକା, ଭାରତ-ୟୁରୋପୀୟ ସଂଘ ଫୋରମ୍ ଆଲୋଚନା ହୋଇ ରସାୟନ ଓ ପେଟ୍ରୋରସାୟନ କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ମାନସମନ୍ଥନ ହୋଇଥିଲା ।
ଜାପାନ ଏହି କନକ୍ଲେଭର ସହଯୋଗୀ ଦେଶ ଥିଲା। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ରସାୟନ ଓ ପେଟ୍ରୋରସାୟନ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି । ବର୍ତ୍ତମାନ ଏହି ଶିଳ୍ପର ଆକାର ପ୍ରାୟ ୨୨୦ ବିଲିୟନ ଡଲାର ରହିଛି । ୨୦୪୦ ସୁଦ୍ଧା ଏହାକୁ ପ୍ରାୟ ୧ ଟ୍ରିଲିୟନ ଏବଂ ୨୦୪୭ ସୁଦ୍ଧା ୧.୬ ଟ୍ରିଲିୟନ ଡଲାରରେ ପହଞ୍ଚାଇବାର ଆବଶ୍ୟକତା ରହିଛି ।
Defense Secretary: ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା
ଏହି ଅବସରରେ ଯୁବ ଛାତ୍ରଛାତ୍ରୀମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି । ପ୍ରଥମ ପୁରସ୍କାର ଆଇସିଟି ମୁମ୍ବାଇର ସୌମ୍ୟ ଭୋଲେ ଏବଂ ସାର୍ଥକ କାଲେ ଜିତିଥିବାବେଳେ ଭିଏନ୍ଆଇଟି-ନାଗପୁରର ସୁମନ ବତୱେ ଓ ସାଲୋନି ମାଡେସାର ଦ୍ବିତୀୟ ପୁରସ୍କାର ଏବଂ ଆଇଆଇଟି ଗାନ୍ଧୀନଗରର ଯଶ ପ୍ରସାଦ ଓ ସ୍ମିତ ବମ୍ଭୋରଲିୟା ତୃତୀୟ ପୁରସ୍କାର ଜିତିଛନ୍ତି ।
କେନ୍ଦ୍ର ରସାୟନ ଓ ପେଟ୍ରୋରସାୟନ ବିଭାଗ ଓ ଫିକି ପକ୍ଷରୁ ମିଳିତଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ଅଗ୍ରଣୀ କମ୍ପାନିଗୁଡ଼ିକର ପାଭିଲିଅନ ଖୋଲିଥିଲା । ଜାପାନ, ଆମେରିକା, କାନାଡ଼ା, ବ୍ରିଟେନ, ୟୁରୋପୀୟ ସଂଘ, ଲାଟିନ ଆମେରିକା, କୋରିଆ ଓ ଆସିଆନ ଦେଶଗୁଡ଼ିକ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରୁ ଓଡ଼ିଶା ପ୍ରାୟ ୫୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ସଂଗ୍ରହ କରିବାରେ ସଫଳ ହୋଇଛି ।

3 days ago
7


