ARTICLE AD BOX
ଭୋପାଳ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ୮ ମାସର ଗର୍ଭବତୀ ମହିଳାଙ୍କ ସମେତ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କ ସହ ୪ ଜଣ ପିଲାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଦୁଇ ଭଉଣୀ ପୃଥକ୍ ସ୍ଥାନରେ ରହୁଥିବା ବେଳେ ୬ ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଛି । ତେବେ ସାନ ଭଉଣୀଙ୍କ ୩ ଝିଅ ବଞ୍ଚିଯାଇଛନ୍ତି ।
Heavy rain: ଗରୁତ୍ତରଙ୍କୁ ଭରା ନଈରେ ଖଟରେ ବୋହି ପାର କଲେ ଗ୍ରାମବାସୀ
ପୁଲିସ ସୂଚନା ଅନୁଯାୟୀ, ୩୫ ବର୍ଷୀୟା ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କର ପ୍ରାୟ ଦେଢ଼ ମାସ ପୂର୍ବେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କୁ ହରାଇବା ପରେ ସେ ମାନସିକ ଚାପରେ ରହୁଥିଲେ । ଏଥିସହ ପିଲାମାନଙ୍କ ଭବିଷ୍ୟତ ଓ ଆର୍ଥିକ ସଙ୍କଟକୁ ନେଇ ଚିନ୍ତିତ ଥିଲେ । ଦିନେ ସେ ନିଜ ଚାଷଜମିକୁ ଯାଇଥିବା ବେଳେ ତାଙ୍କ ୩ ଝିଅ ଓ ୬ ବର୍ଷର ପୁଅଙ୍କ ସହ କୂଅକୁ ଡେଇଁ ପଡ଼ିଥିଲେ । ଏଥିରେ ମହିଳା ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଝିଅ ବଞ୍ଚିଯାଇଥିଲେ । ସେମାନେ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀ ଉଭୟଙ୍କୁ କୂଅରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା ।
ସାନ ଭଉଣୀଙ୍କ ମୃତ୍ୟୁ ଖବର ପାଇବା ପରେ ବଡ଼ ଭଉଣୀ ମଧ୍ୟ ନିଜ ୩ ପିଲାଙ୍କୁ ସାଙ୍ଗରେ ନେଇ ଚାଷଜମିକୁ ଯାଇଥିଲେ । ତାଙ୍କର ୧୪ ଓ ୬ ବର୍ଷର ଦୁଇ ପୁଅ ଏବଂ ୧୧ ବର୍ଷର ଝିଅ ଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । କୂଅ ନିକଟରେ ଚପଲ ଓ ଭିତରେ ଜଣେ ଶିଶୁର ମୃତଦେହ ଦେଖିବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ବଡ଼ ଭଉଣୀ ଓ ତାଙ୍କ ୩ ପିଲାଙ୍କ ମୃତଦେହ ଉଦ୍ଧାର କରିଥିଲା । ସ୍ଥାନୀୟ ଥାନା ଅଧିକାରୀ ରବି ଚୌହାନ ଓ କୋଲାରସ ଥାନା ଅଧିକାରୀ ଜିତେନ୍ଦ୍ର ଚନ୍ଦେଲିୟା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଦୁଇ ଭଉଣୀଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ ସମ୍ପର୍କ ଥିଲା ।

50 minutes ago
2


