ARTICLE AD BOX
/sambad/media/media_files/2026/10/30/3f18ed76-8422-4293-a596-0be6871e4d40-2026-10-30-18-04-46.jpeg)
1/5
ଖୁବ ଉତ୍ତମ ଭାବରେ ସଂରଚ
କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ତତ୍ତ୍ଵାବଧାନରେ ଖୁବ ଉତ୍ତମ ଭାବରେ ସଂରଚନା କରାଯାଇଥିବା ଓଡ଼ିଶୀ ଶୈଳୀର ପ୍ରସ୍ତୁତିଗୁଡ଼ିକୁ ତାଙ୍କର ଶିଷ୍ୟାମାନେ ଏହି ଅବସରରେ ବେଶ ଦକ୍ଷତାର ସହିତ ଉପସ୍ଥାପନା କରିଥିବା ଲକ୍ଷ୍ୟ କରାଯାଇଥିଲା।
/sambad/media/media_files/2026/10/30/bacd7bd6-cf28-41fe-af94-bbd1ac122b32-2026-10-30-18-05-07.jpeg)
2/5
ଓଡ଼ିଶୀ ନୃତ୍ୟକୁ ପରିଚିତ କରାଇବା ଲକ୍ଷ୍ୟ
ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ସ୍ବର୍ଗତଃ ହରେକୃଷ୍ଣ ବେହେରାଙ୍କ ଦ୍ୱାରା ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀ ୧୯୭୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ୪୯ ତମ ବାର୍ଷିକ ଉତ୍ସବ, ଓଡ଼ିଶୀ କେନ୍ଦ୍ରର ସଭାପତି ପଦ୍ମାବତୀ ବେହେରା, ସମ୍ପାଦକ ଅମିତା ଅରୋରା ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଶୁଭାରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଖ୍ୟାତନାମା ଚିତ୍ରକର ରାଜେଶ ବହଲ, ସ୍ବର୍ଗତଃ ଗୁରୁ ହରେକୃଷ୍ଣ ବେହେରାଙ୍କର ଅମୁଲ୍ୟ ଅବଦାନ ଓ ଅଗ୍ରଣୀ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ପ୍ରାୟ ଛଅ ଦଶକ ପୂର୍ବେ ଜାତୀୟ ରାଜଧାନୀ ଇଲାକାରେ ଓଡ଼ିଶୀ ନୃତ୍ୟକୁ ପରିଚିତ କରାଇବା ଓ ଏହାକୁ ଲୋକପ୍ରିୟ କରାଇବାରେ ଶ୍ରୀ ବେହେରାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ଦର୍ଶାଇ ଥିଲେ।
/sambad/media/media_files/2026/10/30/d9c39643-0810-4955-8457-6e62cd5f59bf-2026-10-30-18-05-32.jpeg)
3/5
କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ
ଦିଲ୍ଲୀ ଓ ଏନସିଆର୍ରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟର ପ୍ରଚାର ଓ ପ୍ରସାର କରିବାରେ ଓଡ଼ିଶୀ କେନ୍ଦ୍ର ବଳିଷ୍ଠ ଯୋଗଦାନ ଦେଇ ଆସୁଥିବା ଶ୍ରୀ ବହଲ ଉଲ୍ଲେଖ କରିଥିଲେ। ଓଡ଼ିଶୀ କେନ୍ଦ୍ରର ବାଳୁତ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଆବାହନୀ ସଂରଚନା ନମସକ୍ରିୟା ଏବଂ ଗୁରୁ ଶ୍ଲୋକ ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା। ଏହାପରେ ପ୍ରବୀଣ ଓ ପାରଦର୍ଶୀ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ମଙ୍ଗଳାଚରଣ, ଦେବୀ ସ୍ତୁତି ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲା।
/sambad/media/media_files/2026/10/30/d31a3285-5a38-49ed-bbfc-e4bbc2c4b5d6-2026-10-30-18-06-05.jpeg)
4/5
କଳାକାରଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ
ସନ୍ଧ୍ଯାର ଅନ୍ୟାନ୍ୟ ପ୍ରସ୍ତୁତି ଯଥା: ବଟ୍ଟୁ ନୃତ୍ୟ, ବସନ୍ତ ପଲ୍ଲବୀ, ଶ୍ରିତ କମଳା ଓ ମୋହନା ପଲ୍ଲବୀ ପରିବେଷଣ ସମୟରେ କଳାକାରମାନଙ୍କର ବୈଦ୍ୟୁତିକ ପଦଚାଳନା ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ପ୍ରଦର୍ଶନର ଚମତ୍କାରିତା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁ ହରେକୃଷ୍ଣ ବେହେରାଙ୍କ ଦ୍ୱାରା ଅଶୀ ଦଶକରେ ସଂଚରିତ ହିନ୍ଦୀ ଗୀତ ‘ଶ୍ରୀ ରାମଚନ୍ଦ୍ର କୃପାଲୁ ଭଜମନ’କୁ ଆଧାର କରି ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ବରିଷ୍ଠ ଶିଷ୍ୟା ଖୁସୀ ପାୱାରଙ୍କ ଦ୍ୱାରା ପରିବେଷିତ ଏକକ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଖୁସୀଙ୍କର ନିଖୁଣ ଶରୀର ଚାଳନା ଓ ଭାବୋଦ୍ଦୀପକ ମୁଖାଭିନୟ ଦେଖଣାହାରୀ ମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା।
/sambad/media/media_files/2026/10/30/37631dfb-0045-4404-bc28-8f86f122d213-2026-10-30-18-06-38.jpeg)
5/5
ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟିର
ବାର୍ଷିକ ଉତ୍ସବର ସମସ୍ତ ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବହୁତ ପସନ୍ଦ କରିଥିଲେ ଏବଂ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ଓ ଅଂଶଗ୍ରହଣକାରୀ କଳାକାରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଭାଗ ନେଇଥିବା ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରେଣୀରେ ଖୁସୀ ପାୱାର, ତୀସ୍ତା ଗୁହା ଗାଙ୍ଗୁଲୀ, ଶ୍ରୀୟା ସିଂହ, ପ୍ରଜ୍ଞାଞ୍ଜଳି ସିଂହ, ସଂସ୍କୃତି ଝା, ଆକାଶଲିନା ମାଜୀ, କନିଷ୍ଠ ଗୋଷ୍ଠୀରେ ପାୟଲ ଷଢଙ୍ଗୀ, ଶ୍ରୀଣେ ଘଟକ ଝା, ଶ୍ରୀନିକା ଦତ୍ତ, କାଶ୍ୱୀ ଶର୍ମା, ପାବିକା ଅରୋରା ଏବଂ ପ୍ରାରମ୍ଭିକ ଶ୍ରେଣୀରେ ମୀମାଂସା ଭୋସଲେ ପତି, ଆଶ୍ୱିକା ସାଇନି, ଆଦ୍ୱିକା ସାଇନି ଓ ବନ୍ୟା ଗୁପ୍ତା ପ୍ରମୁଖ ଅନର୍ଭୂକ୍ତ ଥିଲେ। ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା କଳାକାରମାନଙ୍କ ମଧ୍ୟରେ ମର୍ଦ୍ଦଳରେ ପ୍ରଫୁଲ୍ଲ କୁମାର ମଙ୍ଗରାଜ, ଗାୟନରେ ପ୍ରଶାନ୍ତ କୁମାର ବେହେରା, ବଂଶୀରେ ନିଖିଳ କୁମାର ବେହେରା, ଭାୟୋଲିନ ରେ ଗୋପୀନାଥ ସ୍ୱାଇଁ ଏବଂ ମଞ୍ଜିରାରେ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ପ୍ରମୁଖ ସାମିଲ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବବିତା ପରିଡା ଦକ୍ଷତାର ସହିତ ସଂଚାଳନା କରିଥିଲେ।

1 hour ago
1


