ARTICLE AD BOX
ନୂଆଦିଲ୍ଲୀ : ଯୌତୁକ ମୃତ୍ୟୁ ଓ ବିବାହିତା ମହିଳାଙ୍କ ପ୍ରତି ନିର୍ଯାତନା ସମ୍ବନ୍ଧୀୟ ମାମଲାର ବିଚାରରେ ଦୀର୍ଘ ବିଳମ୍ବକୁ ନେଇ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଏଭଳି ମାମଲାର ଶୀଘ୍ର ବିଚାର ଓ ଆଇନର ଫଳପ୍ରସୂରୁପ କାର୍ଯ୍ୟକାରିତା ପାଇଁ ସର୍ବୋଚ୍ଚ ଅଦାଲତ ୧୦ଟି ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ୨୦ ତାରିଖରେ ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମ୍କୋର୍ଟ କହିଛନ୍ତି, ଯୌତୁକ ମୃତ୍ୟୁ ଓ ବିବାହିତାଙ୍କ ପ୍ରତି ନିର୍ଯାତନା ମାମଲାକୁ ଅଗ୍ରାଧିକାର ଦିଆଯିବ । ଦଣ୍ଡବିଧିର ଧାରା ୩୦୪ବି ଓ ୪୯୮ଏ ତଥା ଭାରତୀୟ ନ୍ୟାୟ ସଂହିତାର ଅନୁରୂପ ଧାରା ୮୦ ଓ ୮୫ ଅନ୍ତର୍ଗତ ମାମଲାର ଶୀଘ୍ର ବିଚାର କରାଯିବ । ଜିଲ୍ଲା ଅଦାଲତଗୁଡ଼ିକ ୩ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ମାମଲା ଚିହ୍ନଟ କରିବେ । ବିଶେଷକରି ଚାର୍ଜଫ୍ରେମ୍ କିମ୍ବା ସାକ୍ଷ୍ୟଗ୍ରହଣ ଅପେକ୍ଷାରେ ଥିବା ମାମଲାର ନିୟମିତ ତଦାରଖ କରାଯିବ । ଚାର୍ଜସିଟ୍ ଦାଖଲ ହେବାର ୬୦ରୁ ୯୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍ ପାଇଁ ଅଦାଲତ ଉଦ୍ୟମ କରିବେ । ଏହାପରେ ଯଥାସମ୍ଭବ ଲଗାତାର ସାକ୍ଷ୍ୟଗ୍ରହଣ କରାଯିବ । ଅନାବଶ୍ୟକ ମୁଲତବିକୁ ନିରୁତ୍ସାହିତ କରାଯିବ ଏବଂ ମୁଲତବି ଦିଆଗଲେ ତାହାର କାରଣ ଲିପିବଦ୍ଧ କରିବାକୁ ପଡ଼ିବ । ଅଭିଯୁକ୍ତଙ୍କ ଓକିଲ ଯଥେଷ୍ଟ କାରଣ ବିନା ବାରମ୍ବାର ଅନୁପସ୍ଥିତ ରହିଲେ ଆଇନ ସହାୟତା ଓକିଲ କିମ୍ବା ଆମିକସ୍ କ୍ୟୁରି ନିଯୁକ୍ତ ହୋଇପାରିବେ ।
ମୁଖ୍ୟ ସାକ୍ଷୀଙ୍କ ପରୀକ୍ଷା ପାଇଁ ପୂର୍ବରୁ କ୍ୟାଲେଣ୍ଡର ପ୍ରସ୍ତୁତ କରିବା, ସମନ ଠିକ୍ ସମୟରେ ଜାରି ଓ ସାକ୍ଷୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ହାଇକୋର୍ଟଗୁଡ଼ିକ ଡିଜିଟାଲ ମାଧ୍ୟମରେ ଏଭଳି ମାମଲାର ଅଗ୍ରଗତି ଉପରେ ନଜର ରଖିବେ ଏବଂ ପୁରୁଣା ମାମଲା ପାଇଁ ସତର୍କ ସୂଚନା ବ୍ୟବସ୍ଥା କରିବେ । ବିଚାରାଧୀନ ମାମଲାରେ ଅପିଲ, ପୁନର୍ବିଚାର ଆବେଦନ, ଅନ୍ୟ ଆବେଦନ ଓ ଜାମିନ ପ୍ରସଙ୍ଗକୁ ମଧ୍ୟ ସମୟାନୁସାରେ ସମୀକ୍ଷା କରାଯିବ । ରାଜ୍ୟ ଓ ହାଇକୋର୍ଟଗୁଡ଼ିକୁ ବିଚାରପତି, ପୁଲିସ ଅଧିକାରୀ, ସରକାରୀ ଓକିଲ, ସୁରକ୍ଷା ଅଧିକାରୀ ଓ ପରାମର୍ଶଦାତାଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ମହିଳାଙ୍କ ସହାୟତା ପାଇଁ ୱାନ୍-ଷ୍ଟପ୍ ସେଣ୍ଟର, ପରାମର୍ଶ କେନ୍ଦ୍ର, ମହିଳା ସହାୟତା ଡେସ୍କ, ହେଲ୍ପଲାଇନ୍ ଓ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ରହିଛି । ୨୦୨୫ ଡିସେମ୍ବରରେ ‘ଷ୍ଟେଟ୍ ଅଫ୍ ଉତ୍ତରପ୍ରଦେଶ ବନାମ ଅଜମଲ ବେଗ୍’ ମାମଲାର ରାୟ ପରେ ସୁପ୍ରିମ୍କୋର୍ଟ ଏହି ପଦକ୍ଷେପ ନେଇଛନ୍ତି । ଜଣେ ୨୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ସମ୍ବନ୍ଧୀୟ ଏହି ମାମଲାର ଚୂଡ଼ାନ୍ତ ଫଇସଲା ହେବାକୁ ୨୪ ବର୍ଷ ଲାଗିଥିଲା । ଆସନ୍ତା ୧୫ ଅକ୍ଟୋବରରେ ସୁପ୍ରିମ୍କୋର୍ଟ ହାଇକୋର୍ଟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କାର୍ଯ୍ୟାନ୍ୱୟନ ରିପୋର୍ଟ ସମୀକ୍ଷା କରିବେ ।

1 hour ago
1


