ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜଜିଲ୍ଲାବୈଶିଙ୍ଗା ଥାନା ଅଧୀନ ଗରଗଡ଼ିଆ ଉପକଣ୍ଠ ଧଡ଼ାସାହି ଘଞ୍ଚ ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି। ଅନ୍ୟପଟେ ପୁଲିସର ଅଡୁଆ ବଢିଛି l ଯୁବକଙ୍କ ମୃତ୍ୟୁ କିପରି ହେଲା, ସେ ଏଠାକୁ କିପରି ଆସିଲେ ଏବଂ ତାଙ୍କ ପରିଚୟ କ’ଣ—ଏସବୁ ପ୍ରଶ୍ନର ଉତ୍ତର ଖୋଜିବାରେ ପୁଲିସ ତଦନ୍ତ ଜାରି ରହିଛି।
ଗୁରୁବାର ସନ୍ଧ୍ୟାରେ ଧଡ଼ାସାହି ଜଙ୍ଗଲକୁ କାଠ ଓ ପତ୍ର ସଂଗ୍ରହ ପାଇଁ ଯାଇଥିବା କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଛାନଭିନ କରିଥିଲେ। ତେବେ ଅନ୍ଧାର ହୋଇଯିବାରୁ ଜଙ୍ଗଲ ଭିତରେ ବ୍ୟାପକ ତଦନ୍ତ କରିବା ସମ୍ଭବ ହୋଇନଥିଲା।
ଏହାପରେ ଶୁକ୍ରବାର ଅପରାହ୍ନରେ ଖୋଦ ନୂଆ କରି ଯୋଗ ଦେଇଥିବା ଥାନା ଅଧିକାରୀ ବାବାଶଙ୍କର ସରଫ ଓ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ମୃତଦେହଟି ଅତ୍ୟଧିକ ଗଳିତ ଅବସ୍ଥାରେ ଥିବାରୁ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୁଲିସର ପ୍ରାଥମିକ ଅନୁମାନ ଅନୁସାରେ ମୃତକଙ୍କ ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ହୋଇପାରେ। ମୃତଦେହଟି କିଛି ଦିନ ପୁରୁଣା ହୋଇଥିବାରୁ ପରିଚୟ ନିର୍ଦ୍ଧାରଣରେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
Dead Body: କାଠଯୋଡ଼ି ନଦୀରୁ ପୁଣି ଅଜଣା ମୃତଦେହ ଉଦ୍ଧାର
ଅନ୍ୟପକ୍ଷରେ, ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ପ୍ରାଥମିକ ଭାବେ ଆଶଙ୍କା କରାଯାଉଥିବାରୁ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ପରେ ଜଙ୍ଗଲ ଭିତରେ ଫିଙ୍ଗି ଦିଆଯାଇଥିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି। ତେବେ ଏହା ଏଯାବତ୍ ପୁଲିସର ତଦନ୍ତାଧୀନ ଏକ ସନ୍ଦେହ ମାତ୍ର।
ବୈଶିଙ୍ଗା ପୁଲିସ ୪୩ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ର ନମୁନା ଓ ଅନ୍ୟାନ୍ୟ ପ୍ରମାଣ ସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଘଞ୍ଚ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତ୍ୟୁର ରହସ୍ୟ କେବେ ଖୋଲିବ? ମୃତକଙ୍କ ପରିଚୟ ମିଳିବ କେବେ? ଏବଂ ଯଦି ହତ୍ୟା ସନ୍ଦେହ ସତ ହୁଏ, ତେବେ ଘଟଣା ପଛରେ କିଏ? ଏବେ ପୁଲିସ ତଦନ୍ତର ଫଳାଫଳ ଉପରେ ନଜର।

14 hours ago
3


