Literary Water Weather: ସାହିତ୍ୟିକ ପାଣିପାଗ: ‘ଜାତୀୟକବି’ ଦୁଇ, ‘ପଲ୍ଲୀକବି’ ବି ଦୁଇ?

1 hour ago 2
ARTICLE AD BOX

ଅସିତ ମହାନ୍ତି

ଓଡ଼ିଶାର ‘ଜାତୀୟକବି’ କିଏ? ଏ ପ୍ରଶ୍ନର ଉତ୍ତରରେ ଦୁଇଜଣଙ୍କ ନାଆଁ ମନକୁ ଆସେ। ଜଣେ ବୀରକିଶୋର ଦାସ ଓ ଆଉଜଣେ ବାଞ୍ଛାନିଧି ମହାନ୍ତି। ଦୁହେଁ ସମସାମୟିକ। ଦୁହିଁଙ୍କର ଜନ୍ମ ଯଥାକ୍ରମେ ୧୮୯୬ ଓ ୧୮୯୭ ମସିହା। ବୀରକିଶୋର ଜନ୍ମ ନେଇଥିଲେ ୨୩ ନଭେମ୍ବର ୧୮୯୬ରେ ଜଗତସିଂହପୁରର ପୁନଙ୍ଗଠାରେ। ଭାରତର ସ୍ବାଧୀନତା ସଂଗ୍ରାମରେ ସେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇଥିଲେ। ତାଙ୍କର ‘ମୋହନବଂଶୀ’, ‘ବିଦ୍ରୋହର ବୀଣା’, ‘ରଣଦୁନ୍ଦୁଭି’, ‘ରଣଭେରୀ’ ଆଦି କାବ୍ୟକୃତି ଇଂରେଜ ଶାସନ ସ୍ତରରେ ଆଲୋଡ଼ନ ସୃ‌ଷ୍ଟି କରିଥିଲା। ତାଙ୍କର କେତେକ ପୁସ୍ତକକୁ ନିଷିଦ୍ଧ ମଧ୍ୟ କରାଯାଇଥିଲା। ଏପରିକି ସେ ଦଣ୍ଡିତ ମଧ୍ୟ ହୋଇଥିଲେ ଏବଂ ବସ୍ତୁତଃ କାରାଗାର ହିଁ ହୋଇଯାଇଥିଲା ତାଙ୍କର ଦ୍ବିତୀୟ ଘର। ସେ ପାଇଥିଲେ ‘ଜାତୀୟକବି’ର ସମ୍ମାନ।

Horoscope 2026 August 28: ଜାଣନ୍ତୁ ଆଜିର ରାଶିଫଳ...

ଏହିପରି ଆଉଜଣେ ବାଞ୍ଛାନିଧି ମହାନ୍ତି। ସେ ଜନ୍ମ ନେଇଥିଲେ ସେହି ସମକାଳରେ, ୨୦ ଏପ୍ରିଲ ୧୮୯୭ରେ, ଭଦ୍ରକ ଜିଲ୍ଲାର ଇରମଠାରେ। ସେ ସମୟରେ ସେ ଥିଲେ ଉଚ୍ଚଶିକ୍ଷିତ। ମାତ୍ର ଗାଁରୁ ଗାଁ, ସ୍କୁଲରୁ ସ୍କୁଲ ବୁଲି ବୁଲି ସେ କଂଗ୍ରେସର ଆଦର୍ଶ ପ୍ରଚାର କରିଥିଲେ। ତାଙ୍କର ଗୀତଗୁଡ଼ିକ ହୋଇଯାଇଥିଲା ସ୍ବାଧୀନତା ସଂଗ୍ରାମୀମାନଙ୍କର ମୁହଁର ଘୋଷା। ‘ଉତ୍କଳ ବୀଣା’ ନାମରେ ସେସବୁ ସଂକଳିତ ହୋଇଛି ଦୁଇ ଭାଗରେ। ସେ ପରିଚିତ ହୋଇଛନ୍ତି ‘ଜାତୀୟକବି’ ଭାବରେ।
ଆଜି ଏହି ଦୁଇ ‘ଜାତୀୟକବି’ଙ୍କୁ ଏଠି ସ୍ମରଣ କରିବାର ଉଦ୍ଦେଶ୍ୟ- ଏବେ ଓଡ଼ିଶାରେ ଦୁଇଜଣ କବିଙ୍କ ‘ପଲ୍ଲୀକବି’ ଆଖ୍ୟାକୁ ନେଇ ଚାଲିଛି ବିବାଦ। କିନ୍ତୁ ଆମକୁ ଏ ପ୍ରସଙ୍ଗରେ ସ୍ମରଣରେ ରଖିବା ଆବଶ୍ୟକ, ଯେ ବୀରକିଶୋର ଓ ବାଞ୍ଛାନିଧି ଉଭୟେ ଥିଲେ ସମସାମୟିକ। ଏଣୁ ଏ ଦୁହିଁଙ୍କର ‘ଜାତୀୟକବି’ ଆଖ୍ୟାରେ କିଛି ବି ଅସ୍ବାଭାବିକତା ବା ଅସଙ୍ଗତି ନାହିଁ। ମାତ୍ର ସାଂପ୍ରତିକ ‘ପଲ୍ଲୀକବି’ ବିବାଦରେ ସେହି ସମକାଳୀନତା ନାହିଁ।
ଏହି ବିବାଦର ସୂତ୍ରପାତ ହୋଇଛି- ‘ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା’ ଶୀର୍ଷକ ଏକ ପୁସ୍ତକକୁ ନେଇ। ପ୍ରଶ୍ନ ଉଠିଛି, କୃଷ୍ଣପ୍ରସାଦ ବେହେରାଙ୍କର ବହୁପୂର୍ବରୁ ନନ୍ଦକିଶୋର ବଳ ‘ପଲ୍ଲୀକବି’ ଭାବରେ ଆଖ୍ୟାୟିତ, ବହୁ ଆଲୋଚିତ ଓ ଗୃହୀତ ହୋଇଥିବାବେଳେ, ଆଉ ଜଣଙ୍କୁ ସେହି ଆଖ୍ୟାରେ ଆଖ୍ୟାୟିତ କରାଯିବା କେତେଦୂର ସମୀଚୀନ?
ଏବେ ଆସିବା ସେହି ବିବାଦୀୟ ପୁସ୍ତକଟିକୁ। ପୁସ୍ତକଟି ପ୍ରଥମେ ପ୍ରକାଶ ପାଇଥିଲା କଟକର ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ। ପ୍ରକାଶକାଳ ୨୦୦୦ ମସିହା। ପୁସ୍ତକର ଶୀର୍ଷକ ଥିଲା ‘ପଲ୍ଲୀକବି କୃଷ୍ଣପ୍ରସାଦ’। ଅଥଚ ଆଶ୍ଚର୍ଯ୍ୟଜନକ, ଯେ ସେହି ନାଆଁରେ କେବଳ ତାଙ୍କର ସାଙ୍ଗିଆଟିକୁ ଯୋଡ଼ିଦେଇ, ସେହି ପୁସ୍ତକଟି ହିଁ ଆଉଥରେ ପ୍ରକାଶ ପାଇଛି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ। ପ୍ରକାଶକାଳ ୨୦୧୭। କିନ୍ତୁ ତାହା ଏକ ପୁରୁଣା ପୁସ୍ତକ ହେଲେ ମଧ୍ୟ, ତଞ୍ଚକତ‌ା କରାଯାଇ ଏ‌କାଡେମୀ ପ୍ରକାଶିତ ପୁସ୍ତକରେ ତାହାକୁ ‘ପ୍ରଥମ ସଂସ୍କରଣ’ ବୋଲି ଦର୍ଶାଯାଇଛି। ଏକାଡେମୀର ପୁସ୍ତକ ପ୍ରକାଶନ କ୍ଷେତ୍ରରେ କିପରି ପ୍ରିୟାପ୍ରୀତି ଓ ଜାଲିଆତି ଚାଲିଛି, ଏହା ତାହାର ଏକ ନିନ୍ଦନୀୟ ଉଦାହରଣ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଏହି ପୁସ୍ତକର ‘ଅଭିମତ’ରେ ଲେଖକ ଡକ୍ଟର ମନ୍ମଥ କୁମାର ପ୍ରଧାନ ଲେଖିଛନ୍ତି, “୧୯୮୮ ମସିହାରେ ମୁଁ କବିଙ୍କର କୃତିଙ୍କୁ ନେଇ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରି ପିଏଚ୍‌.ଡି. ଉପାଧି ଲାଭ କରିଥିଲି।” ଅଥଚ ୧୭ ବର୍ଷ ପୂର୍ବେ ପ୍ରକାଶିତ ସେହି ପୁସ୍ତକଟି ହିଁ ଏକ ସ୍ବତନ୍ତ୍ର ‘ମନୋଗ୍ରାଫ୍‌’ ରୂପେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଛି। ଗୋଟିଏ ପୂର୍ବପ୍ରକାଶିତ ଗବେଷଣା ସନ୍ଦର୍ଭକୁ ଏକ ନୂତନ ମନୋଗ୍ରାଫ୍‌ ଓ ପ୍ରଥମ ସଂସ୍କରଣ ରୂପେ ପ୍ରକାଶ କରାଯିବା ସଂପୃକ୍ତ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରେ କେତେଦୂର ସମୀଚୀନ?
ଏବେ ଆସିବା ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ସେହି ପୁସ୍ତକର ମୁଖବନ୍ଧକୁ। ‘ପ୍ରାକ୍‌ଭାଷ’ ଶୀର୍ଷକରେ ସେହି ମୁଖବନ୍ଧ ଲେଖିଛନ୍ତି ଏକାଡେମୀର ସେଦିନର ସଚିବ ଅଶ୍ବିନୀ କୁମାର ମିଶ୍ର। ସେହି ମୁଖବନ୍ଧର ପ୍ରଥମ ବାକ୍ୟରେ ସେ ଲେଖିଛନ୍ତି, “ପଲ୍ଲୀଚେତନାର ବାର୍ତ୍ତାବହ ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ଜଣେ ଅନାଲୋଚିତ ପ୍ରତିଭା।” ଲେଖକ ଡକ୍ଟର ପ୍ରଧାନ ମଧ୍ୟ ତାଙ୍କ ‘ଅଭିମତ’ରେ କହିଛନ୍ତି, “ତାଙ୍କ ପ୍ରତିଭା ଅନାଲୋଚିତ ହୋଇ ରହିଆସିଛି।” ଏହା ସତ୍ତ୍ବେ, ସୁଖ୍ୟାତ, ବହୁ ଆଲୋଚିତ ତଥା ‘ପଲ୍ଲୀକବି’ ଭାବରେ ବିଦିତ ନନ୍ଦକିଶୋର ବଳଙ୍କ ‘ଆଖ୍ୟା’ଟିକୁ ଏପରି ଜଣେ ‘ଅନାଲୋଚିତ’ କବିଙ୍କୁ ଦେଇଦେବା କେତେଦୂର ଯୁକ୍ତିଯୁକ୍ତ?
ନନ୍ଦକିଶୋର ବଳ ଓ କୃଷ୍ଣପ୍ରସାଦ ବେହେରା ସମକାଳୀନ ନ ଥିଲେ। ନନ୍ଦକିଶୋର ବଳଙ୍କର ଜନ୍ମ ୧୮୭୫ ମସିହା ହୋଇଥିବାବେଳେ, କୃଷ୍ଣପ୍ରସାଦ ବେହେରାଙ୍କ ଜନ୍ମ ତାଙ୍କର ଦୀର୍ଘ ୪୦ ବର୍ଷ ପରେ, ୧୯୧୫ ମସିହାରେ। ପୁଣି ୧୯୨୮ ମସିହାରେ ନନ୍ଦକିଶୋର ବଳଙ୍କର ବିୟୋଗ ଘଟିବାବେଳକୁ କୃ‌ଷ୍ଣପ୍ରସାଦ ବେହେରାଙ୍କର ବୟସ ହୋଇଥିଲା ମାତ୍ର ୧୩ ବର୍ଷ ଏବଂ ସେ ଲେଖାଲେଖି ଆରମ୍ଭ ହିଁ କରି ନ ଥିଲେ। ଅଥଚ ମୃତ୍ୟୁର ପ୍ରାୟ ତିନି ଦଶନ୍ଧି ପୂର୍ବରୁ, ୧୮୯୮ ମସିହାରୁ ହିଁ ନନ୍ଦକିଶୋର ବଳ ପଲ୍ଲୀଚେତନା ଭିତ୍ତିକ କବିତା ରଚନା କରି ଓଡ଼ିଆ ସାହିତ୍ୟରେ ଏକ ନୂଆ ଭାବଧାରାର ଉଦ୍‌ଗାତା ହୋଇଥିଲେ ଏବଂ ‘ପଲ୍ଲୀକବି’ ଭାବରେ ଖ୍ୟାତ ମଧ୍ୟ ହୋଇଯାଇଥିଲେ। ଏହା ସତ୍ତ୍ବେ, ତାଙ୍କର ବିୟୋଗ ବେଳକୁ ମାତ୍ର ୧୩ ବର୍ଷର ହୋଇଥିବା କୃଷ୍ଣପ୍ରସାଦ ବେହେରାଙ୍କୁ ସେହି ଆଖ୍ୟାରେ ଆଖ୍ୟାୟିତ ଯେ କରାଯାଇଛି, ଏହା ଏକ ବିଡ଼ମ୍ବନା ମାତ୍ର।
‘ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା’ ଶୀର୍ଷକରେ ୨୦୧୭ ମସିହାରେ ପୁସ୍ତକଟିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରିବା ସମୟରେ, ପୁସ୍ତକର ପ୍ରସ୍ତାବକ, ପୁସ୍ତକ କମିଟିର ସଦସ୍ୟବୃନ୍ଦ, ଏକାଡେମୀର କାର୍ଯ୍ୟନିର୍ବାହୀ କମିଟି ଏବଂ ସଂପାଦକ ଓ ସଭାପତି କୌଣସି ବିଚାରବନ୍ତତା ଯେ ପ୍ରକାଶ କରି ନାହାନ୍ତି, ଏହା ସ୍ପଷ୍ଟ। କାରଣ, ଏହି ଓଡ଼ିଶା ସାହିତ୍ୟ ଏକାଡେମୀ ହିଁ ୧୯୬୪ ମସିହାରେ ‘ନନ୍ଦକିଶୋର ସାହିତ୍ୟ ସମୀକ୍ଷା’ ନାମରେ ଏକ ପୁସ୍ତକ ପ୍ରକାଶ କରିଥିଲେ। ତାହାର ଲେଖକ ଥିଲେ ଓଡ଼ିଆ ସାହିତ୍ୟର ସୁଖ୍ୟାତ ସମାଲୋଚକ ଓ ଗବେଷକ ଡକ୍ଟର ନଟବର ସମାନ୍ତରାୟ। ପରେ ୧୮୮୪ରେ ସେହି ପୁସ୍ତକର ଦ୍ବିତୀୟ ମୁଦ୍ରଣ ଓ ୨୦୦୪ ମସିହାରେ ତୃତୀୟ ମୁଦ୍ରଣ ମଧ୍ୟ ହୋଇଛି। ଏହି ତୃତୀୟ ମୁଦ୍ରଣ ସମୟରେ ଏକାଡେମୀର ସଭାପତି ଥିଲେ ସନ୍ତୋଷ କୁମାର ସାହୁ। ୧୯୬୪ର ପ୍ରଥମ ପ୍ରକାଶ ସମୟରେ ସଂପାଦକ ଥିବା ଗୌରୀକୁମାର ବ୍ରହ୍ମା ମଧ୍ୟ ସେଥିରେ ‘ଦୁଇପଦ’ ଶୀର୍ଷକ ମୁଖବନ୍ଧ ଲେଖିଛନ୍ତି। ଦ୍ବିତୀୟ ମୁଦ୍ରଣ ସମୟର ସଂପାଦକ ଚିନ୍ତାମଣି ବେହେରା ଓ ତୃତୀୟ ମୁଦ୍ରଣ ସମୟର ସଂପାଦକ ରାଜକିଶୋର ମିଶ୍ରଙ୍କର ମୁଖବନ୍ଧ ମଧ୍ୟ ପୁସ୍ତକରେ ସ୍ଥାନ ପାଇଛି।
ସେହିପରି, ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଆଉ ଗୋଟିଏ ପୁସ୍ତକ ହେଉଛି- ‘ପଲ୍ଲୀକବି ସୃ‌ଷ୍ଟି ପରିଧି’। ଡକ୍ଟର ପ୍ରସନ୍ନ କୁମାର ମହାନ୍ତିଙ୍କ ସଂପାଦନାରେ ଏହା ପ୍ରକାଶ ପାଇଥିଲା ୧୯୯୭ ମସିହାରେ। ସେତେବେଳେ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଥିଲେ ଏକାଡେମୀର ସଚିବ (ସଂପାଦକ)। ଏହି ପୁସ୍ତକର ‘ଅଗ୍ରଲେଖ’ରେ ସେ ଲେଖିଛନ୍ତି, “ସାରସ୍ବତ ସାଧକ ନନ୍ଦକିଶୋର ବଳ (୧୮୭୫-୧୯୨୮) ଓଡ଼ିଆ ସାହିତ୍ୟ ଇତିହାସରେ ‘ପଲ୍ଲୀକବି’ ଭାବରେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ପଲ୍ଲୀର ଅସରନ୍ତି ସୌନ୍ଦର୍ଯ୍ୟ-ରୂପ-ବିଭବ ଓ ସରଳ, ମଧୁମୟ ପଲ୍ଲୀ ଜୀବନକୁ ସେ କାବ୍ୟରୂପ ପ୍ରଦାନ କରି ତାଙ୍କର ଗଭୀର ପଲ୍ଲୀପ୍ରୀତି ଓ ପଲ୍ଲୀପ୍ରାଣତାର ପରିଚୟ ଦେଇଛନ୍ତି।” ସେହିପରି ଏହାର ସଂପାଦକ ଡକ୍ଟର ପ୍ରସନ୍ନ କୁମାର ମହାନ୍ତି ତାଙ୍କ ‘ମୁଖବନ୍ଧ’ରେ ଲେଖିଛନ୍ତି, “ପାଶ୍ଚାତ୍ୟ କାବ୍ୟରୁଚି ଓ ଭାବଚେତନା ପ୍ରଭାବିତ ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବରେ ‘ପଲ୍ଲୀ’ର ମନ୍ମୟତା ଓ ପ୍ରାଣସ୍ରୋତ ହୋଇପଡ଼ିଥିଲା ଅବହେଳିତ। ଏହି ସନ୍ଧିକ୍ଷଣରେ ନନ୍ଦକିଶୋରଙ୍କର ଆବିର୍ଭାବ ହୁଏ ଓଡ଼ିଆ ସାହିତ୍ୟରେ। ଓଡ଼ିଶାର ପଲ୍ଲୀପ୍ରକୃତି ଓ ପଲ୍ଲୀଜୀବନକୁ ସେ ଯେପରି ପ୍ରାଣବନ୍ତ, ମୌଳିକ ତଥା କଳାତ୍ମକ ଭାବରେ ତାଙ୍କ କବିତାବଳୀରେ ଉପସ୍ଥାପିତ କଲେ, ତାହା ବାସ୍ତବରେ ଓଡ଼ିଶାର ଜାତୀୟ ସାରସ୍ବତ ପ୍ରବାହରେ ଏକ ଉଲ୍ଲେଖଯୋଗ୍ୟ ଐତିହାସିକ ଘଟଣା।” ଏହି ପୁସ୍ତକରେ ଡକ୍ଟର ନଟବର ସାମନ୍ତରାୟଙ୍କଠାରୁ ଆରମ୍ଭ କରି ଆଚାର୍ଯ୍ୟ ଭାବାନନ୍ଦଙ୍କ ପର୍ଯ୍ୟନ୍ତ ବିଶିଷ୍ଟ ଲେଖକମାନଙ୍କର ୨୦ଟି ମୂଲ୍ୟବାନ ଆଲେଖ୍ୟ ସଂକଳିତ ହୋଇଛି ଏବଂ ପଲ୍ଲୀକବି ନନ୍ଦକିଶୋରଙ୍କ ସଂପର୍କରେ ବିସ୍ତୃତ ବିବରଣୀ ରହିଛି।

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ

ସେହିପରି ଆଉ ଏକ ପୁସ୍ତକ ହେଉଛି, ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କ ‘ପଲ୍ଲୀକବି ନନ୍ଦକିଶୋର ବଳ’। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୭ରେ ଏହା ପ୍ରକାଶିତ। ଏହା ଏକ ‘ମନୋଗ୍ରାଫ୍‌’। ଏହାର ପ୍ରକାଶନ ସମୟରେ ଏକାଡେମୀର ସଚିବ (ସଂପାଦକ) ଥିଲେ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ। ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ପ୍ରକାଶନ ଭାବରେ ସେ ତାହାକୁ ପ୍ରକାଶ କରିଥିଲେ। ଡକ୍ଟର ମହାରଣା ତାଙ୍କ ମୁଖବନ୍ଧ ‘ଆମୁଖ’ରେ ଲେଖିଛନ୍ତି, “ନନ୍ଦକିଶୋର ବଳ ପଲ୍ଲୀମଣିଷ। ତାଙ୍କ ଲେଖନୀ ପଲ୍ଲୀସମାଜର କଥା କହେ, ପଲ୍ଲୀପ୍ରକୃତିର ଚିତ୍ର ଆଙ୍କେ। ପଲ୍ଲୀର ଦୁର୍ଦ୍ଦଶା ତାଙ୍କ ପ୍ରାଣରେ ଆଘାତ ଦିଏ। ଏହି ଦୁର୍ଦ୍ଦଶାର ଦୂରୀକରଣ ନିମିତ୍ତ ତାଙ୍କ ମନ ବିଦ୍ରୋହୀ ହୋଇଉଠେ। ପଲ୍ଲୀକୁ କୁସଂସ୍କାର ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନର ସ୍ବପ୍ନ ତାଙ୍କୁ ଆଚ୍ଛନ୍ନ କରେ। ...ଏକାନ୍ତ ପଲ୍ଲୀମନସ୍କତା ତାଙ୍କୁ ‘ପଲ୍ଲୀକବି’ ଭାବରେ ପରିଚିତ କରାଏ।”
ଏହିପରି ଭାବରେ, ନନ୍ଦକିଶୋର ବଳଙ୍କ ସଂପର୍କରେ ଅନ୍ୟୂନ ତିନିତିନିଟି ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବରୁ ପ୍ରକାଶ କରିଥିବା ସତ୍ତ୍ବେ, ଏବଂ ସେହିସବୁ ପୁସ୍ତକରେ ନନ୍ଦକିଶୋର ବଳଙ୍କୁ ‘ପଲ୍ଲୀଚେତନାର ପ୍ରମୁଖ କବି’ ଓ ‘ପଲ୍ଲୀକବି’ ଭାବରେ ଆଖ୍ୟାୟିତ ତଥା ସ୍ବୀକୃତ କରାଯାଇଥିବା ସତ୍ତ୍ବେ, ସେହି ପୁସ୍ତକଗୁଡ଼ିକୁ ଅନୁପଲବ୍‌ଧ କରିରଖି, କୃଷ୍ଣପ୍ରସାଦ ବେହେରାଙ୍କୁ ସେହି ‘ପଲ୍ଲୀକବି’ ଆଖ୍ୟାରେ ହିଁ ଆଖ୍ୟାୟିତ କରାଯିବା ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ମୂଢ଼ତା ବ୍ୟତୀତ ଅନ୍ୟ କିଛି ନୁହେଁ।
ଏ ପ୍ରସଙ୍ଗରେ କବିସୂର୍ଯ୍ୟ ବଳଦେବ ରଥଙ୍କର ‘ଜଗତେ କେବଳ’ କବିତାର “ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ...” ପଦଟି ହିଁ ଆମର ସ୍ମରଣକୁ ଆସେ। ତାହା ଆମକୁ ସ୍ପଷ୍ଟ ଭାବରେ ସୂଚାଏ, ଯେ କେବଳ ନନ୍ଦକିଶୋର ବଳ ହିଁ ‘ପଲ୍ଲୀକବି’। ଆଉ କେହି ପଲ୍ଲୀଚିତ୍ର ସମ୍ବଳିତ କିଛି କବିତା ଲେଖି କେବେ ବି ‘ପଲ୍ଲୀକବି’ ହୋଇପାରିବେ ନାହିଁ। “ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ” ହିଁ ହେବ ତାହାର ପରିଣାମ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦ ୩୪୮୦୪

Read Entire Article
LEFT SIDEBAR AD

Hidden in mobile, Best for skyscrapers.