Odisha BJP: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ହେଉଛି ବିଜେପି!

48 minutes ago 1
ARTICLE AD BOX

କଟକ: ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକକୁ ବିଜେପିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦୁଇଦିନ ଧରି ୧୦ଟି ପ୍ରସଙ୍ଗରେ ଆଲୋଚନା ହେବ। 

ବିଶେଷକରି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏଥିପାଇଁ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା ହେବ ବୋଲି କୁହାଯାଉଛି। ‌ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ, ଜିଲ୍ଲାସ୍ତରୀୟ ବିଜେପି କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି। ଏହାବ୍ୟତୀତ ଯେଉଁମାନେ କାର୍ଯ୍ୟକାରିଣୀ ସଦସ୍ୟ ନୁହନ୍ତି କିମ୍ବା ନିମନ୍ତ୍ରିତ ସଦସ୍ୟ ନୁହନ୍ତି, ସେମାନଙ୍କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। 

BJP alleges Punjab CM: ୫ କୋଟିରେ ଦୁଷ୍କର୍ମ ମାମଲା ରଫାଦଫା;ଅଡିଓ ରେକର୍ଡିଂ ଜାରି କରି ତଦନ୍ତ ଦାବି କଲା ବିଜେପି

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହେବା ପରେ ପୂର୍ବ କାର୍ଯ୍ୟକାରିଣୀ ବୈଠକର ବିବରଣୀ ଉପସ୍ଥାପନ ହେବା ସହିତ ତାହାର ସମୀକ୍ଷା କରାଯାଇଛି। ଦୁଇଟି ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଏଥିରେ ପାରିତ ହେବ। ପ୍ରଥମତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌ଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଯେଉଁ ସଫଳତା ପାଇଛି ତାହା ଉପରେ ଓ ଦ୍ବିତୀୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ୨ବର୍ଷ ପୂରଣ କରିଥିବା ବିଜେପି ସରକାର ସମୟରେ ଓଡ଼ିଶା ଯେଉଁ ଉଚ୍ଚସ୍ତରକୁ ଯାଇଛି ସେଥିପାଇଁ ଉଭୟଙ୍କୁ ଧନ୍ୟବାଦ ଦେବା ପାଇଁ ପ୍ରସ୍ତାବ ଗୃହୀତ ହେବ। ରବିବାର ପୂର୍ବ ନିଷ୍ପତ୍ତିଗୁଡ଼ିକ ଉପରେ ଅର୍ଥାତ୍‌ ଶେଷ କାର୍ଯ୍ୟକାରିଣୀଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କରାଯିବା ପାଇଁ କୁହାଯାଇଥିଲା, ତାହାର ସମୀକ୍ଷା କରାଯିବ। 

ଆଗାମୀ ଦିନରେ ବିଜେପି କ’ଣ କରିବାକୁ ଚାହୁଁଛି, ତାହା ଆଲୋଚନା କରାଯାଇ ୨ମାସର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ। ସାଂସଦ ଓ ବିଧାୟକଙ୍କ ସହିତ ସ୍ବତନ୍ତ୍ର ବୈଠକ ବସିବା ପରେ ରବିବାର ସକାଳେ ଜିଲ୍ଲା ସଭାପତି, ପ୍ରଭାରୀଙ୍କର ସମୀକ୍ଷା ବୈଠକ ବସିବ। ଏଥିରେ ଜିଲ୍ଲାମାନଙ୍କ ରିପୋର୍ଟ କାର୍ଡ ମଗାଯିବ। ପରବର୍ତ୍ତୀ ଅଧିବେଶନରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହେବ। ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଭାପତି ତାଙ୍କର ଅଭିଭାଷଣ ରଖିବେ। ଅଖିଳ ଭାରତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭିଏଲ୍‌ ସନ୍ତୋଷ ଉଦ୍‌ଯାପନୀ ଉଦ୍‌ବୋଧନ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.