ARTICLE AD BOX
ଇମ୍ଫାଲ: ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି। ଶୁକ୍ରବାର ଉଖରୁଲ୍ ଜିଲ୍ଲାର ଇମ୍ଫାଲ-ଉଖରୁଲ୍ ରାସ୍ତାରେ ଦୁଇଟି କାର୍ ଉପରେ ସଶସ୍ତ୍ର ଉଗ୍ରବାଦୀମାନେ ଗୁଳିମାଡ଼ କରିବାରୁ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁ ହେଭେନ୍ ଅଞ୍ଚଳରେ ଏହି ଆକ୍ରମଣ ଘଟିଥିବା ମଣିପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦୁଇଟି ଚାରିଚକିଆ ଗାଡ଼ିରେ ଯାତ୍ରା କରୁଥିବା ଦୁଇ ପୁରୁଷ ଓ ଦୁଇ ମହିଳା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଗାଡ଼ିର ସାମ୍ନା କାଚରେ ଏକାଧିକ ଗୁଳି ଚିହ୍ନ ଦେଖିବାକୁ ମିଳିଛି। ତେବେ ମୃତକଙ୍କ ପରିଚୟ ଓ ଆକ୍ରମଣ ପଛରେ କେଉଁ ସଶସ୍ତ୍ର ଗୋଷ୍ଠୀର ହାତ ରହିଛି, ତାହା ପୁଲିସ ପକ୍ଷରୁ ତୁରନ୍ତ ସ୍ପଷ୍ଟ କରାଯାଇନାହିଁ। ଆକ୍ରମଣର କାରଣ ମଧ୍ୟ ଜଣାପଡ଼ିନାହିଁ।
ଏହି ଘଟଣାର ଦିନକ ପୂର୍ବରୁ ମଣିପୁରର କାଙ୍ଗପୋକପି ଓ ସେନାପତି ଜିଲ୍ଲା ସୀମାନ୍ତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତାଫୋଉ କୁକି ଗ୍ରାମ ନିକଟରେ ଘଟିଥିବା ଏହି ଗୁଳିକାଣ୍ଡରେ ୪୨ ବର୍ଷୀୟ କୁକି ମହିଳା କିମ୍ନେଇନେଙ୍ଗ ଚୋଙ୍ଗଲୋଇଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ଘଟଣାଟି ଗୁରୁବାର ସକାଳ ପ୍ରାୟ ୧୧ଟାରେ ଘଟିଥିଲା। ଏହାକୁ ନେଇ କାଙ୍ଗପୋକପି ଜିଲ୍ଲାରେ ଆଦିବାସୀ ସଂଗଠନ କମିଟି ଅନ୍ ଟ୍ରାଇବାଲ୍ ୟୁନିଟି (କୋଟୁ) ପକ୍ଷରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ଏହାର ପ୍ରଭାବରେ ଦୋକାନବଜାର ବନ୍ଦ ରହିବା ସହ ବସ୍ ଓ ଅଟୋ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
Rahul Gandhi: ନଭେମ୍ବର ୨୬ରେ ମଣିପୁର ଗସ୍ତ କରିବେ ରାହୁଲ ଗାନ୍ଧୀ
ମଣିପୁରର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରିରୁ ଲାଗି ରହିଥିବା ସଂଘର୍ଷରେ ଅତି କମ୍ରେ ୫୦ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ, ୨୦୨୩ ମେ ମାସରୁ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ବ୍ୟାପକ ଜାତିଗତ ସଂଘର୍ଷରେ ଏଯାଏଁ ଅତି କମ୍ରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଛି। ୪୯ ଜଣ ନିଖୋଜ ଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ବାରମ୍ବାର ଗୁଳିକାଣ୍ଡ ଓ ହିଂସା ଘଟଣା ଯୋଗୁଁ ରାଜ୍ୟରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି।

1 hour ago
1


